କନକ ବ୍ୟୁରୋ : ୪୩ ଦିନରେ କୃଷକ ଆନ୍ଦୋଳନ । ଅତ୍ୟାଧିକ ଥଣ୍ଡା ସାଙ୍ଗକୁ ଦିଲ୍ଲୀରେ ବର୍ଷା । ଏହାରି ମଧ୍ୟରେ ହକ ପାଇଁ ଦିଲ୍ଲୀ ସୀମାରେ ଅଡି ବସିଛି କୃଷକ । ପାରିତ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର, କୃଷି କ୍ଷେତ୍ରରେ ବିଜୁଳି ବିଲ୍ ସମ୍ପୁର୍ଣ୍ଣ ଛାଡ ଓ ଏମଏସପିକୁ ଆଇନ ସିଦ୍ଧ କରିବାକୁ ଦାବି କରୁଛନ୍ତି କୃଷକ ମାନେ । ହେଲେ ସରକାର କୃଷକଙ୍କର କୌଣସି ଦାବି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏନେଇ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସି ସାରିଲାଣି । ହେଲେ କୌଣସି ନିଷ୍କର୍ସ ବାହାରିବାର ନାଁ ନେଉନି । ଆସନ୍ତା କାଲି ପୁଣି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ତାହାପୂୁର୍ବରୁ ଆଜି ଆନ୍ଦୋଳନରତ କୃଷକ ମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବାକୁ ଦିଲ୍ଲୀରେ ଚଳାଇଛନ୍ତି ଟ୍ରାକ୍ଟର ରାଲି । ଏହି ରାଲିରେ ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ବ୍ୟବହାର କରାଯାଉଛି ।
ସେପେଟେ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତରା ୧୧ ତାରିଖ ଦିନ ଶୁଣାଣି ହେବ । ହେଲେ ତାହା ପୂର୍ବରୁ କୃଷକ ମାନଙ୍କର ସମାଗମ ଦେଖି କୋର୍ଟ ସରକାରଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି । କୋର୍ଟ କହିଛନ୍ତି କି କରୋନା କାଳରେ ଏଭଳି ଆନ୍ଦୋଳନ ଚାଲୁ ରହିଲେ ତବଲିଗ ଜମାତ ଭଳି ସ୍ଥିତି ସୃଷ୍ଟି ହେବ (କହିରଖୁ କି କରୋନାକାଳ ଆରମ୍ଭରେ ଦିଲ୍ଲୀରେ ଏକ ଧର୍ମସଭା କରିବାକୁ ଶହ ଶହ ସଂଖ୍ୟାର ବିଦେଶୀ ମୁସଲମାନ ମାନେ ଏକଜୁଟ୍ ହୋଇଥିଲେ । ସେମାନେ ସଭା କରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ କିଛି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ହେଲେ ଏନେଇ ତବଲିଗ୍ ଜମାତଙ୍କ ଉପରେ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ସମସ୍ତ ତବଲିଗ୍ ମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । ହେଲେ ପ୍ରଶ୍ନ ଯାହାଙ୍କୁ କୋର୍ଟ ନିଜେ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ସେମାନେ କିଭଳି କରୋନା ବ୍ୟାପିବା ପାଇଁ ଦାୟି ବୋଲି କୋର୍ଟ ନିଜ ତରଫରୁ କହୁଛନ୍ତି । ) ଆନ୍ଦୋଳନ ସ୍ଥଳରେ କରୋନା ମାର୍ଗଦର୍ଶିକା ପାଳନ କରାଯାଉଛି କି ନାହିଁ ସେ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେ୍ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଏହାସହ ଅନ୍ନଦାତା ମାନେ କରୋନା ସଂକ୍ରମଣରୁ କିଭଳି ସୁରକ୍ଷିତ ରହିବେ, ସେ ସଂପର୍କିତ ପଦକ୍ଷେପ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସରକାର ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ଜାଣିବାକୁ ପ୍ରୟାସ କରୁଛନ୍ତି । ନିଜାରମୁଦ୍ଦିନ ସ୍ଥିତ ମରକଜ୍ ପ୍ରସଙ୍ଗ ଓ ଲକଡାଉନ୍ ସମୟରେ ଏକାଧିକ ଲୋକ ଏକାଠି ହେବା ପାଇଁ ଅନୁମତି ଦେବା ବିରୋଧରେ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଏଭଳି ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ।