କନକ ବ୍ୟୁରୋ : ଏହି କଥା ଶୁଣିଲା ପରେ ଚିନ୍ତାରେ ପଡିଯାଇଥିବେ ନିଶ୍ଚୟ । ଭାବୁଥିଲେ କ୍ୟୁଆର୍ କୋଡକୁ ସ୍କାନ୍ କରି ଟଙ୍କା ଟ୍ରାନ୍ସଫର କଲେ କେମିତି ଆକାଉଣ୍ଟ୍ ଖାଲି ହେବ । କାରଣ ଦୋକାନ କିମ୍ବା ବଡ ବଡ ସୋରୁମରେ ଲାଗିଥିବା କ୍ୟୁଆର କୋଡ ସେହି ଦୋକାନୀଙ୍କ ଆକାଉଣ୍ଟ୍ ସହ ଜୋଡି ହୋଇ ରହିଥାଏ । ତେବେ ଆସନ୍ତୁ ଜାଣିବା କେମିତି ଲୋକେ ଠକାମୀର ଶିକାର ହେଉଛନ୍ତି ।

Advertisment

ଲୋକଙ୍କୁ ଠକିବା ପାଇଁ ଠକ ପ୍ରତିଦିନ ନୂଆ ନୂଆ ଉପାୟ ବାହାର କରୁଛି । କେତେବେଳେ ମୋବାଇଲକୁ ବିଭିନ୍ନ ପ୍ରକାର ଲିଙ୍କ୍ ପଠାଇ ଠକୁଛନ୍ତି ତ ଆଉ କେତେବେଳେ ଲୋଭନିୟ ଅଫର ଦେଇ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି । ଠିକ୍ ସେହିଭଳି ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ବାହାର କରିଛନ୍ତି ଠକ । କ୍ୟୁଆର୍ କୋଡ ସ୍କାନରକୁ ବ୍ୟବହାର କରି ଠକୁଛନ୍ତି ଠକ । ଗତ କିଛିଦିନ ହେବ ଏହିଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

ବଡ ବଡ ଦୋକାନରେ ବ୍ୟବହାର ହେଉଥିବା କ୍ୟୁଆର୍ କୋଡ ସ୍କାନରକୁ ବଦଳାଇ ଲୋକଙ୍କଠୁ ଟଙ୍କା ଲୁଟୁଛନ୍ତି ଠକ । ଅତି ଚାଲାକର ସହ ଦୋକାନରେ ଲାଗିଥିବା କ୍ୟୁଆର୍ କୋଡକୁ ବଦଳାଇ ଦେଉଛନ୍ତି । ଯାହାଫଳରେ ଦୋକାନକୁ ଆସିଥିବା ଗ୍ରାହକ ଅସଲି କ୍ୟୁଆର୍ କୋଡ୍ ବଦଳରେ ନକଲି କ୍ୟୁଆର୍ କୋଡକୁ ସ୍କାନ କରି ଟଙ୍କା ଟ୍ରାନ୍ସଫର କରିଦେଉଛି । କେବଳ ଏତିକି ନୁହେଁ ଏହା ପରେ ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ୍ ହେବା ସହ ଆକାଉଣ୍ଟ୍ ଖାଲି ହୋଇଯାଉଛି । ଏହିଭଳି ଠକାମୀ ଅନେକ ଲୋକଙ୍କ ସହ ଘଟିସାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସାଧାରଣତଃ ଯେଉଁ ଦୋକାନରେ କ୍ୟୁଆର୍ କୋଡ ଦୋକାନ ବାହାରେ ଲଗାଯାଇଛି । ସେହି ଦୋକାନରେ ଗ୍ରାହକ ଅଧିକ ଠକାମୀର ଶିକାର ହୋଇଥିବା ଜଣାପଡିଛି । କାରଣ ବାହାରେ ଲାଗିଥିବା କ୍ୟୁଆର କୋଡକୁ ଅତି ଚାଲାକର ସହ ଠକ ପରିବର୍ତ୍ତନ କରି ଅସଲି ସ୍ଥାନରେ ନକଲି କ୍ୟୁଆର୍ କୋଡ ଲଗାଇ ଦେଉଛି । ଆଉ ଏହାର ଶିକାର ହେଉଛନ୍ତି ସାଧାରଣ ଲୋକେ । ତେବେ କେମିତି ଠକାମୀରୁ ବର୍ତ୍ତିବେ ଆସନ୍ତୁ ଜାଣିବା ।

ଏହି ଠକାମୀରୁ ବଞ୍ଚିବା ପାଇଁ ଦୋକାନୀ ଏବଂ ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର ପୂର୍ବରୁ କ୍ୟୁଆର୍ କୋଡକୁ ଥରେ ଭଲଭାବେ ଯାଞ୍ଚ କରିନେବା ଉଚିତ୍ । ସଠିକ୍ କୋଡ୍ ସୁନିଶ୍ଚିତ କରିବା ପରେ ହିଁ ଟଙ୍କା ଟ୍ରାନ୍ସଫର କରନ୍ତୁ । ଦୋକାନି ମାନେ ମଧ୍ୟ ଧ୍ୟାନ ଦିଅନ୍ତୁ କି, କ୍ୟୁଆର୍ କୋଡକୁ ଦୋକାନ ବାହାରେ ନଲଗାଇ ଦୋକାନ ଭିତରେ ଲଗାନ୍ତୁ । କାରଣ ଏପରେ ନକଲେ ଠକ ଅତି ସହଜରେ ଆପଣଙ୍କୁ ଠକିନେବ । ଉଭୟ ଦୋକାନୀ ଏବଂ ଗ୍ରାହକ ଏହାର ଶିକାରେ ହେବେ ।