କନକ ବ୍ୟୁରୋ: ଭୁବନେଶ୍ୱର ସାମନ୍ତରାୟପୁରର ଏକ ପ୍ଲେ-ସ୍କୁଲରେ ଶିକ୍ଷକତା କରୁଥିବା ମଧୁସ୍ମିତା ଚୈାଧୁରୀ ସବୁଦିନ ପରି ନିଜ ସ୍କୁଟିରେ ଘରକୁ ଫେରୁଥିଲେ । କିନ୍ତୁ ରାଜଧାନୀ ଯେ ଦିନରେ ବି ଚୋରଙ୍କ ହବ ପାଲଟିଲାଣି ତାହା ତାଙ୍କୁ ଜଣାନଥିଲା ।

Advertisment

ମାର୍ଚ୍ଚ ୨୯ ତାରିଖ, ବୁଧବାର, ସମୟ - ଦ୍ୱିପ୍ରହର ୧ଟା, ସ୍ଥାନ - କପିଳେଶ୍ୱର ରୋଡ଼, ପୁରୁଣା ଭୁବନେଶ୍ୱର । ସ୍କୁଲ ସାରି ମଧୁସ୍ମିତା ଘରକୁ ଫେରିବା ବେଳେ କପିଳେଶ୍ୱର ଗାଁ ପାଖରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ତାଙ୍କୁ ପିଛା କରିବା ଆରମ୍ଭ କରିଥିଲେ । ମଧୁସ୍ମିତା କିଛି ବୁଝିବା ପୂର୍ବରୁ ତାଙ୍କ ଗାଡ଼ି ଆଗରେ ଥିବା ବ୍ୟାଗକୁ ଝାମ୍ପିବାକୁ ଉଦ୍ୟମ କଲେ । ଜୀବନ ବଞ୍ଚାଇବାକୁ ଯାଇ ରାସ୍ତାରେ ଥିବା ହମ୍ପସରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ ମଧୁ । ଦୁଇ ଲୁଟେରା ବ୍ୟାଗ ପାଇଁ ତାଙ୍କୁ ଗାଡ଼ି ସହ ପାଖାପାଖି ୫୦ ମିଟର ଘୋଷାଡ଼ି ନେବା ପରେ ବ୍ୟାଗ ଲୁଟି ଆଖି ପିଛୁଳାକେ ସେ ସ୍ଥାନରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଧୁସ୍ମିତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଛନ୍ତି । ମଧୁସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମୁହଁ ଗଭୀର ଭାବେ ମାଡ ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମଧୁସ୍ମିତା କହିଛନ୍ତି ପୁରା ଘଟଣା ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ରାଜଧାନର ସମେତ ସାରା ରାଜ୍ୟରେ ଏବେ ଲୁଟେରାଙ୍କ ଉପଦ୍ରବ ବଢିବାରେ ଲାଗିଛି । ରାତିବେଳେ ଲୁଟେରା ଓ ଛିନତାଇ ଗ୍ୟାଙ୍ଗସକ୍ରିୟ ରହୁଥିଲେ । ଏବେ କିନ୍ତୁ ଦିନ ଦ୍ୱିପ୍ରହରରେ ଏଭଳି ଲୁଟେରା ଗ୍ୟାଙ୍ଗ ବାଇକରେ ଆସି ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ବିଶେଷକରି ସ୍କୁଟିରେ ଏକାକୀ ଯାଉଥିବା ମହିଳା ସେମାନଙ୍କ ଟାର୍ଗେଟରେ ରହୁଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚକୁ ବି ସେମାନଙ୍କ ଖାତିର ରହୁନାହିଁ । ମହିଳାଙ୍କୁ ଏକାକୀ ଦେଖି କିଛି ସମୟ ପିଛା କରିବା ପରେ ଲୁଟେରା ଲୁଟ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି,
- ରାଜଧାନୀ ରାଜରାସ୍ତାରେ କେତେ ସୁରକ୍ଷିତ ମହିଳା?
- ପୁଲିସ ଏହି ଲୁଟେରାଙ୍କୁ ଧରିବାରେ ବିଫଳ କାହିଁକି?
- ପୁଲିସ ପାଟ୍ରୋଲିଂ ସତ୍ତେ୍ୱ ଦିନ ଦ୍ୱିପହରରେ କେମିତି ସକ୍ରିୟ ହେଉଛନ୍ତି ଲୁଟେରା?
-ଅଭ୍ୟାସଗତ ଲୁଟେରାଙ୍କ ଉପରେ କାହିଁକି ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ?
-ନିଶା ପାଇଁ ଲୁଟେରା ଲୁଟ କରୁଥିବା ବେଳେ ନିଶାଡି ନିୟନ୍ତ୍ରଣରେ ପୁଲିସ ଫେଲ କାହିଁକି?

ରାଜଧାନୀରେ ସକ୍ରିୟ ଥିବା ଲୁଟେରା ଗ୍ୟାଙ୍ଗ ଜେଲରୁ ବାହାରିବା ପରେ ବାରମ୍ବାର ଏଭଳି ମହିଳାଙ୍କ ସଫ୍ଟ ଟାର୍ଗେଟ କରୁଛନ୍ତି । ଅଧିକାଂଶ କ୍ଷେତ୍ରରେ ଏମାନଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ବିଧାନସଭାରେ ଗୃହବିଭାଗର ଶ୍ୱେତପତ୍ରରେ ରାଜ୍ୟରେ ଲୁଟ ବଢିବା କଥା ସ୍ପଷ୍ଟ ହୋଇଛି । ଏଭଳି ସ୍ଥଳେ ଲୁଟେରାଙ୍କୁ କାବୁ ନ କରିପାରିବା କମିଶନରେଟ ପୁଲିସର ପାରିବାରପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।