ସାବଧାନ! ବନ୍ୟା ଛାଡିଛି ବନ୍ୟାବିପନ୍ନଙ୍କ ପାଇଁ ଜରୁରୀ ସୂଚନା…

103

କନକ ବ୍ୟୁରୋ: ବନ୍ୟାରେ ବୁଡିଛି ଅଧା ଓଡିଶା । ବନ୍ୟା ଜଳର ତାଣ୍ଡବ ଟିକେ କମିଥିଲେ ହେଁ ଏବେବି କମିନି ଲୋକଙ୍କ ଦୁର୍ଦ୍ଦଶା । ନାହିଁ ନଥିବା ଦୁଃଖରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ । କେଉଁଠି ଗାଁ ଦାଣ୍ଡରେ ଛାତିଏ ପାଣି ଥିବାରୁ ଲୋକେ ଛାତରେ ରହିଛନ୍ତି ତ କେଉଁଠି ଘରଦ୍ୱାର ଏବେବି ଜଳ ଘେରରେ ରହିଥିବାରୁ ଲୋକଙ୍କ ଜୀବନ ନଦୀବନ୍ଧରେ ବନ୍ଧା ପଡିଛି । କିଏ ଭୋକ ଉପାସରେ ପଡୁଛି ତ ପୁଣି କିଏ ପାଣି ପିଇବାକୁ ହଇରାଣ ହେଉଛି । ଦୁଃଖ, ଦୁର୍ଦ୍ଦଶା, ଜଳ ଯନ୍ତ୍ରଣା ଭିତରେ ଜୀବନକୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟର ଯତ୍ନ ନେବା ବି ଜରୁରୀ… ତେବେ ନଜର ପକାନ୍ତୁ ବନ୍ୟା ପରବର୍ତ୍ତୀ କେତେକ ସ୍ୱାସ୍ଥ୍ୟ ସତର୍କତା ଉପରେ…

ବନ୍ୟା ପରେ ପରେ ସ୍ୱାସ୍ଥ୍ୟ ସତର୍କତା
——————————
-ବନ୍ୟା ପରେ ନଈ, ନାଳ, ଝରଣା, ପୋଖରୀ, ଚୂଆ ଆଦିର ଦୂଷିତ ଜଳ ପିଅନ୍ତୁ ନାହିଁ
-ବନ୍ୟା ପାଣିରେ ଯଦି କୌଣସି ନଳକୂପ ରହିଛି, ତାହାଲେ ସେଥିରୁ ପାଣି ବ୍ୟବହାର କରନ୍ତୁ ନାହିଁ, ଯେପର୍ଯ୍ୟନ୍ତ ତାକୁ ବିଶୋଧନ କରା ନଯାଇଛି ।
-ବନ୍ୟା ସମୟରେ ବାସି, ପଚାଷଢା କିମ୍ବା ମାଛି ବସିଥିବା ଖାଦ୍ୟ ଖାଆନ୍ତୁ ନାହିଁ
-ବିଶୋଧିତ ପାଣିରେ ହାଲାଜୋନ୍ ବଟିକା ପକାଇ ୩୦ ମିନିଟ୍ ପରେ ପିଅନ୍ତୁ
-ଏହି ବିଶୋଧିତ ଜଳକୁ ପିଇବା ସହ ଭାତ, ଚୂଡା, ମୁଢି ଆଦି ଜଳଖିଆରେ ବ୍ୟବହାର କରନ୍ତୁ
-ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ପରଷିବା ପୂର୍ବରୁ ସାବୁନରେ ହାତ ଧୁଅନ୍ତୁ
– ଶୌଚ ପରେ ହାତକୁ ସାବୁନରେ ଧୋଇବାକୁ କେବେ ଭୁଲନ୍ତୁ ନାହିଁ
-ବନ୍ୟା ବେଳେ ତରଳ ଝାଡା ହେବାର ଅନେକ ଆଶଙ୍କା ଥାଏ । ତେଣୁ ଏମିତି ହେଲେ ଓଆରଏସ ଦ୍ରବଣ ପିଅନ୍ତୁ ଏବଂ ତୁରନ୍ତ ମେଡିକାଲ ଯାଆନ୍ତୁ ।
-ଘର ବାହାରେ ଜମି ରହିଥିବା ବନ୍ୟା ପାଣିରେ ବାସନକୁସନ ଧୁଅନ୍ତୁ ନାହିଁ
-ନିଜ ହାତ ମୁହଁ ମଧ୍ୟ ନଧୋଇବାକୁ ପରାମର୍ଶ
-ବିଶୋଧିତ ନଳକୂପର ଜଳରେ ଏ ସବୁ ବ୍ୟବହାର କରନ୍ତୁ
ଦର୍ଶକ ବନ୍ଧୁ, ବନ୍ୟାର ଦୁର୍ଦ୍ଦଶା ତ ଆଜି ନହେଲେ ବି କାଲି କମିଯିବ । ଗାଁଦାଣ୍ଡରୁ, ଘରକୁ ଘେରି ରହିଥିବା ବଢି ପାଣି ଧିରେଧିରେ ଛାଡିଯିବ ହେଲେ ବନ୍ୟା ବେଳେ ଜଳ ଜନିତ ରୋଗ ପ୍ରତି ଖାଲି ଟିକେ ସତର୍କ ହୋଇଗଲେ ଆମ ଶରୀର ସୁସ୍ଥ ରହିବା ଭିଡିଓଟିକୁ ଅନେକ ମାତ୍ରାରେ ସେୟାର କରନ୍ତୁ ଆଉ ବନ୍ୟାଞ୍ଚଳର ବିପନ୍ନଙ୍କୁ ସଚେତନ କରାନ୍ତୁ ।