ସମୟ ପୂର୍ବରୁ ବଜାରକୁ ଆସୁଥିବା ଆମ୍ବକୁ ହୁସିଆର । ସୃଷ୍ଟି କରିପାରେ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା । ସତର୍କ କରାଇଲେ କୃଷି ବୈଜ୍ଞାନିକ

588

କନକ ବ୍ୟୁରୋ : ଆମ୍ବ ଖାଉଛନ୍ତି କି? ବଜାରରେ ମିଳୁଥିବା ଆମ୍ବ ଖାଇବା ପୂର୍ବରୁ ହେଇଯାଆନ୍ତୁ ସାବଧାନ । କାରଣ ସମୟ ପୂର୍ବରୁ ବଜାରରେ ମିଳୁଥିବା ଆମ୍ବ ଖାଉଥିଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ିପାରେ । ବଜାରରେ ଆଗୁଆ ମିଳୁଥିବା ଆମ୍ବକୁ ନେଇ ସତର୍କ କରାଇଛନ୍ତି କୃଷି ବୈଜ୍ଞାନିକ । ସମ୍ପୂର୍ଣ୍ଣ ବିକଶିତ ହେବା ପୂର୍ବରୁ ବିଭିନ୍ନ ରାସାୟନିକ ପ୍ରୟୋଗ କରି ଆମ୍ବକୁ ପଚାଇବାରୁ ସ୍ୱାସ୍ଥ୍ୟ ପ୍ରତି ଏହା ହାନିକାରକ ହୋଇପାରେ ବୋଲି ଚେତାଇ ଦେଇଛନ୍ତି ବିଶେଷଜ୍ଞ ।

ଅଧିକ ଲାଭ ଆଶାରେ କିଛି ବ୍ୟବସାୟୀ ଏଭଳି ପନ୍ଥା ଆପଣାଉଛନ୍ତି । ମୁଖ୍ୟତଃ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ କେରଳରୁ ଓଡିଶାକୁ ଆସୁଛି ଆମ୍ବ । ଆମ୍ବ ସମ୍ପୂର୍ଣ ପାଚିବାର ଋତୁ ହୋଇନଥିବାବେଳେ ବଜାରରେ ଉପଲବ୍ଧ ହୋଇଯାଉଛି ଆମ୍ବ । ଆମ୍ବ ଋତୁ ଆସିବାର ବହୁ ପୂର୍ବରୁ ପ୍ରଚୁର ପରିମାଣରେ ବଜାରରେ ବିକ୍ରି ହେଉଛି ଆମ୍ବ । ଲୋକଙ୍କ ମଧ୍ୟରେ ଆମ୍ବର ଚାହିଦାକୁ ଦେଖି କିିଲୋ ପିଛା ପ୍ରାୟ ଦେଢ଼ ଶହ ଟଙ୍କା ଦରରେ ଏହାକୁ ବିକ୍ରି କରାଯାଉଛି ।

ତେବେ ଏହି ଆମ୍ବ ସବୁକୁ କ୍ୟାଲସିୟମ୍ କାରବାଇଡ ରାସାୟନିକ ପ୍ରୟୋଗ କରି ପଚା ଯାଇଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଏହାସହ ଏହି ଆମ୍ବ ଗୁଡ଼ିକର ଗୁଣବତା ଓ ସ୍ୱାଦ ମଧ୍ୟ ଭଲ ରହି ନଥାଏ । ତେଣୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସମୟ ପୂର୍ବରୁ ଆସୁଥିବା ଆମ୍ବର ପରୀକ୍ଷା କରିବାକୁ ମତ ରଖିଛନ୍ତି ବୁଦ୍ଧିଜୀବୀ ।