ଅଧରାତିରେ ବାହାରକୁ ବାହାରୁଥିଲେ ସାବଧାନ ! ଅନ୍ଧାରୀ ଇଲାକାରେ ଛକୁଛନ୍ତି ଲୁଟେରା । ବନ୍ଧୁକ ଲଗାଇ, ନିଶା ଦେଇ କରୁଛନ୍ତି ଲୁଟପାଟ ।

969

କନକ ବ୍ୟୁରୋ: ଲୁଟ… ଲୁଟ… ଲୁଟ… ବସରୁ ଲୁଟ୍, ବାଟ ମଝିରୁ ଲୁଟ୍, ଘର ଭିତରୁ ଲୁଟ୍ । କିଏ ଚା ପିଆଇ ଲୁଟୁଛି, କିଏ ନିଶା ମିଶା ମିଠା ଖୁଆଇ ଲୁଟୁଛି ତ ପୁଣି କିଏ ବନ୍ଧୁ ମୁନରେ ଲୁଟିନେଉଛି ଲକ୍ଷ ଲକ୍ଷ ଟଙ୍କା । ରାତି ବଢିଲେ ବଢୁଛି ଲୁଟେରାଙ୍କ ଉତ୍ପାତ । ଛକ ଛକ, ଗଳି କନ୍ଦିରେ ମାତୁଛନ୍ତି ଲୁଟେରା । ଧମକ, ଚମକ ଦେଇ ଲୋକଙ୍କୁ ଲୁଟପାଟ କରି ଆତଙ୍କ ରଚୁଛନ୍ତି ଲୁଟେରା ଗ୍ୟାଙ୍ଗ । ଖାଲି ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୁଟର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିବା ପରେ ଏବେ ଅଧ ରାତିରେ ଘରୁ ଗୋଡ କାଢିବାକୁ ବି ଲାଗୁଛି ଡର । ତେଣୁ ସାବଧାନ ! ରାତିରେ ଯାତ୍ରା କରୁଥିଲେ ସତର୍କ ହୋଇଯାଆନ୍ତୁ । କାରଣ କେଉଁଠି , କେତେବେଳେ, କେଉଁ ସମୟରେ ବି ଆପଣ ହାବୁଡି ପାରନ୍ତି ଲୁଟେରା, ହୋଇପାରନ୍ତି ଲୁଟର ଶୀକାର…

ଗତ ଦୁଇ ଦିନ ତଳେ ଭୁବନେଶ୍ୱରର ଦୁଇ ଦୁଇଟି ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ବଢାଇଦେଇଛି । ଚାରେ ନିଶା ମିଶାଇ ଜଣଙ୍କ ଠାରୁ ସବୁ ଟଙ୍କା ଚଳୁ କରି ଲୁଟେରା ଛୁ ମାରିଥିବା ବେଳେ ଜଣେ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଲୁଟିଛନ୍ତି ଦୁବୃତ । ତେବେ ଭୁବନେଶ୍ୱରର ଗଙ୍ଗାଧର ପଣ୍ଡା ବ୍ରହ୍ମପୁରରୁ ବସରେ ଫେରିବା ବେଳେ ତାଙ୍କୁ ଟାର୍ଗେଟ କରିଥିଲା ଲୁଟେରା । ବସ ଭିତରେ ବନ୍ଧୁତା କରିବା ସହ ଭୋର ୩ଟାରେ ବରମୁଣ୍ଡାରେ ଓହ୍ଲାଇବା ପରେ ଗଙ୍ଗାଧରଙ୍କୁ ଚା ପିଆଇବାକୁ ଦେଇଥିଲା ଲୁଟେରା । ପରେ ଓଲା ବୁକ କରି ସାଙ୍ଗ ହୋଇ ନିଜ ନିଜ ଘରକୁ ଫେରିବାକୁ କହିବା ପରେ ଲୁଟେରା କଥାରେ ରାଜି ହୋଇଥିଲେ ଗଙ୍ଗାଧର । ବାସ୍ ତାପରେ ଚାରେ ମିଶିଥିବା ନିଶାର ପ୍ରଭାବରେ ଅଚେତ ହୋଇଥିଲେ ଗଙ୍ଗାଧର । ଆଉ ତାର ସୁଯୋଗ ନେଇ ତାଙ୍କ ଠାରୁ ସୁନାଚେନ, ମୁଦି ସହ ୫ ହଜାର ଟଙ୍କା ଲୁଟିନେଇ ଭରତପୁର ଜଙ୍ଗଲରେ ଫିଙ୍ଗିଦେଇ ପଳାଇଥିଲା ଲୁଟେରା । ସକାଳେ ହୋସ ଫେରିବା ବେଳକୁ ନିଜକୁ ହସ୍ପିଟାଲରେ ପାଇଥିଲେ ଗଙ୍ଗାଧର ।

ସେପଟେ ଭୁବନେଶ୍ୱରର ଆଉ ଏକ ଲୋମଟାଙ୍କୁରା ଲୁଟ ଘଟଣା ଆପଣଙ୍କୁ ଡରାଇଦେବ । ଆଉ ଆପଣ କହିବେ ସୁରକ୍ଷିତ ନୁହେଁ ରାତିର ରାଜଧାନୀ । ଏଠି ସାମ୍ବାଦିକଟିଏ ଯେତେବେଳେ ଲୁଟର ଶିକାର ହେଉଛି ସେଠି ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ଉଠୁଛି ପ୍ରଶ୍ନ । ତେବେ ଏକ ଘରୋଇ ନ୍ୟୁଜ୍ ଚାନେଲର ସାମ୍ବାଦିକ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ତାଙ୍କୁ ପିଛା କରିଥିଲେ ଦୁର୍ବୃତ୍ତ । ଆଉ ଜିଓଲୋଜିକାଲ ସର୍ଭେ ଅଫିସ ସାମ୍ନାରେ ୩ ଜଣ ଦୁର୍ବୃତ ବାଇକରେ ଆସି ସାମ୍ବାଦିକଙ୍କୁ ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । କିଛି କହିବା ପୂର୍ବରୁ ସାମ୍ବାଦିଙ୍କୁ ଠାରୁ ୫ ହଜାର ଟଙ୍କା, କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ଓ ସୁନାଚେନ ଲୁଟି ନେଇଥିଲେ । ତେବେ ରାତି ଟିକେ ବଢିଲେ ରାଜଧାନୀରେ ଏ ଛିନତାଇ ଗ୍ୟାଙ୍ଗର ଆତଙ୍କରାଜ ଲୋକଙ୍କ ଛାତିରେ ଛନକା ପଶାଇଛି ।

ଅନ୍ୟପଟେ ମାଲକାନଗିରିରୁ ଆସିଥିବା ଭଡାଟିଆଙ୍କ ଭୟାନକକାଣ୍ଡ ଘରମାଲିକଙ୍କୁ ସତର୍କ କରାଇଦେଇଛି । କେମିତି ବିଶ୍ୱାସରେ ନିଶା ଦେଇ ଘରେ ମାଲିକ ଘରେ କଳାକନା ବୁଲାଇଲେ ଭଡାଟିଆ ଦମ୍ପତି ତାହା ସାରା ରାଜ୍ୟରେ ଚଳହ ପକାଇଛି । ତେବେ ମାଲକାନଗିରି ବିବିଗୁଡା କଲୋନିରେ ଗତ ୩ ମାସ ତଳେ ଆନ୍ଧ୍ରର ଜଣେ ଯୁବକଯୁବତୀ ଘରଭଡା ନେବାକୁ ପହଞ୍ଚିଥିଲେ । ପ୍ରେମ ବିବାହ ପାଇଁ ଘରେ ରାଜି ନଥିବାରୁ ସେମାନେ ଭଡାଘର ଖୋଜୁଥିବା କହି ସୁନା ବ୍ୟବସାୟୀ ସୁବାସ ପାଟିଲଙ୍କ ଘରେ ରହିଥିଲେ । ଆଉ ଘରେ ରହିବା ପରେ ଲୁଟେରା ଦମ୍ପତ୍ତି ଜାଲବୁଣିବା ଆରମ୍ଭ କରିଥିଲେ । ମାଲିକ ଘର ସହ ମିଳାମିଶା କରି ନିଜର ହେବାକୁ ଚେଷ୍ଟା ଚଳାଇଥିଲେ । ତେବେ ଯୋଜନା ମୁତାବକ ମାର୍କେଟରୁ ମିଠା ଆଣି ସେଥିରେ ନିଶା ମିଶାଇ ମାଲିକ ଘର ଏବଂ ପାଖ ପଡୋଶୀଙ୍କୁ ବାଣ୍ଟିଥିଲେ । ଯେମିତି କେହି ସନ୍ଦେହ କରିବେନି । ବାସ୍ ନିଶାର ଅସରରେ ସମସ୍ତେ ଶୋଇଯିବା ପରେ ଦୁହେଁ ଆରମ୍ଭ କରିଥିଲେ ଅପରେସନ କଳାକନା । ଗ୍ୟାସକଟରରେ ଝରକା କାଟି ପାଟିଲଙ୍କ ଘରୁ ପାଖାପାଖି ୩୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲେ । ତେବେ ଲୁଟ ପୂର୍ବରୁ ସବୁ ସିସିଟିଭି ଅଚଳ କରିଥିଲେ ଏ ଚାଲାକ ୪୨୦ ଲୁଟେରା ଦମ୍ପତ୍ତି । ତେବେ ସରଳ ବିଶ୍ୱାସରେ ନିଶା ଦେଇ ଲୁଟ ଘଟଣା କେଉଁ ଫିଲ୍ମ ଷ୍ଟାଇଲଠୁ ବି କମ୍ ନୁହେଁ ।

ତେବେ ଲୁଟର ଏହି ୩ଟି କାହାଣୀ ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇଥିବା ବେଳେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ରାଜଧାନୀର ରାତି ଏବେ କେତେ ସୁରକ୍ଷିତ ? କେଉଁ ବେଶରେ ଆସୁଛନ୍ତି ଲୁଟେରା? ତେବେ ନଜର ପକାନ୍ତୁ ଲୁଟେରାଙ୍କ ଠାରୁ ବର୍ତ୍ତିବାକୁ କିଛି ସାଧାରଣ କଥା…

କଣ କରିବେ ?
ବସଯାତ୍ରା କରୁଥିବା ବେଳେ ଅଜଣା ବ୍ୟକ୍ତିଙ୍କୁ ହଠାତ ବିଶ୍ୱାସ କରନ୍ତୁ ନାହିଁ
ବନ୍ଧୁତା କରନ୍ତୁ ନାହିଁ କି ଯାହା ଦେଲେ ଖାଆନ୍ତୁ ନାହିଁ
ମୃଦୁ ପାନୀୟ କିମ୍ବା ଶୁଖିଲା ଖାଦ୍ୟ ଦେଲେ ମନାକରନ୍ତୁ
କଥା ହେବାବେଳେ କୌଣସି ପରିସ୍ଥିତିରେ ବି ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ
ଘରଭଡା ଦେଉଥିଲେ ଭଡାଟିଆଙ୍କ ବାବଦରେ ଜାଣିରଖନ୍ତୁ
ନାଁ, ଠିକଣା ସହ ତାଙ୍କର ସମସ୍ତ ପୂର୍ବାପର ସୂଚନା ଜାଣନ୍ତୁ
ଆଇଡି ପ୍ରୁଫ- ଆଧାରକାର୍ଡ, ଭୋଟରକାର୍ଡ ପରି କେଉଁଠି ଉକ୍ତ ବ୍ୟକ୍ତି କାମ କରୁଛନ୍ତି ତାହା ବି ଜାଣିରଖନ୍ତୁ ।
ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ସତର୍କ ରୁହନ୍ତୁ
ରାସ୍ତାରେ କେହି ଲିଫ୍ଟ ମାଗିଲେ ସାବଧାନ ରୁହନ୍ତୁ
ଲୁଟେରା କି ସତରେ କେହି ଅସୁବିଧାରେ ପଡି ସାହାଯ୍ୟ ମାଗୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ
ଅନ୍ଧାର କିମ୍ବା ନିଛାଟିଆ ରାସ୍ତାରେ ଯଦି କେହି ଲିଫ୍ଟ ମାଗୁଛି ଆଦୌ ଦିଅନ୍ତୁ ନାହିଁ
କୌଣସି ଘଟଣା ସନ୍ଦେହ ହେଲେ ପୋଲିସକୁ ଜଣାନ୍ତୁ
ମନେ ରଖନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ନିଜେ ସୁରକ୍ଷିତ ରହିବା ସହ ସମାଜ ବି ସୁରକ୍ଷିତ ରହିବ ।