ବନ୍ଧାହେଲେ ଫେସବୁକ୍ ସୁନ୍ଦରୀ : ଡିପିରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

5,327

କନକ ବ୍ୟୁରୋ : ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଉଥିଲେ । ପୁଣି କାହାକୁ ଶିକ୍ଷୟତ୍ରୀ କହି ସମ୍ପର୍କ ବଢ଼ାଉଥିଲେ । ଏମିତି ସୋସିଆଲ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷ ଲକ୍ଷ ଟଙ୍କା, ଠକୁଥିବା ରାକେଟର ମାଷ୍ଟରମାଇଣ୍ଡ ଜଣେ ମହିଳାଙ୍କୁ ସହିଦନଗର ଥାନା ପୁଲିସ, ଗିରଫ କରିଛି ।

ମହିଳା ଜଣଙ୍କ ହେଉଛନ୍ତି, ସେ ବାଲୁଗାଁ ନାଚୁଣୀ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ଜଣେ ଯୁବକଙ୍କଠାରୁ ଏଭଳି ଭାବେ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭି‌ଯୋଗ ଆସିଥିବାବେଳେ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ଟି ପାସ୍‌ବୁକ୍ ଓ ୨ଟି ମୋବାଇଲ ଜବତ ହୋଇଛି । ପ୍ରିୟଙ୍କାଙ୍କ ସହ ଏହି ଠକେଇ ରୢାକେଟ୍‌ରେ ଆହୁରି ଅନେକ ଯୁବତୀ ରହିଥିବା ଜଣାପଡ଼ିଥିବାରୁ ପୁଲିସ ଏହାର ତଦନ୍ତ କରୁଛି । ପୁଲିସ ସୂଚନା ମୁତାବକ, କିଛିମାସ ହେବ ପ୍ରିୟଙ୍କା ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ରେ ଏକାଧିକ ଆକାଉଣ୍ଟ ଖୋଲି ଡିପିରେ ଭିନ୍ନଭିନ୍ନ ଯୁବତୀଙ୍କ ଫଟୋ ଛାଡ଼ୁଥିଲେ। ଆଉ ଅଜଣା ଲୋକଙ୍କୁ ମେସେଜ୍‌ ପଠାଇ ସଂପର୍କ ‌ଯୋଡ଼ୁଥିଲେ। ଫଟୋରେ ଯୁବତୀମାନଙ୍କ ବେଶଭୁଷା ଓ ପେସାକୁ ସୁାହଇଲା ଭଳି ଭିନ୍ନଭିନ୍ନ ବୃତ୍ତିରେ ଥିବା ଦର୍ଶାଇ ବିଭିନ୍ନ ଲୋକଙ୍କ ସହ ପରିଚିତ ହେଉଥିଲେ ।

ଏହି ରାକେଟର ମାଷ୍ଟରମାଇଣ୍ଡ ପ୍ରିୟଙ୍କା ଏଭଳି କୌଶଳ ଅବଲମ୍ବନ କରୁଥିଲେ ଯେ ଯେ‌ଭଳି କେହି ସହଜରେ ଠକ ବୋଲି ସନ୍ଦେହ କରିପାରିବ ନାହିଁ । ତେଣୁ ଯେଉଁ ଲୋକଙ୍କୁ ସେ ଯେଉଁ ଯୁବତୀଙ୍କ ଫଟୋ ପଠାଇ ଯେଉଁ ବୃତ୍ତି କଥା କହୁଥିଲେ, ସେହିଭଳି ବେଶଭୁଷାରେ ସଜାଇ ଯୁବତୀମାନଙ୍କୁ ସେମାନଙ୍କ ପାଖକୁ ପଠାଉଥିଲେ । ଆଉ ଏହି ଯୁବତୀମାନେ ଖୁବ୍‌ କମ୍‌ ସମୟରେ ସମ୍ପର୍କ ଗଢ଼ି ଲୋକଙ୍କୁ ଜାଲରେ ଫସାଉଥିଲେ। ଥରେ ଲୋକଙ୍କ ମନରେ ବିଶ୍ବାସ ଆସିଯିବା ପରେ ଏହି ଯୁବତୀମାନେ ସୁଯୋଗ ନେଇ ସେମାନଙ୍କ ଭିନ୍ନଭିନ୍ନ ସମସ୍ୟା ଥିବା ଦର୍ଶାଇ ଟଙ୍କା ମାଗୁଥିଲେ । ଆଉ ପରେ ଟଙ୍କା ଫେରାଇଦେବେ ବୋଲି କହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟଙ୍କା ଫେରାଉ ନଥିଲେ। କେହି କେହି ଠକାମିର ଶିକାର ହୋଇଥିବା ଜାଣିପାରୁଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ଅଭିଯୋଗ କରୁନଥିଲେ।

ତେବେ ପ୍ରିୟଙ୍କାଙ୍କ ଜାଲରେ ପଡ଼ିଥିବା ୟୁନିଟ୍‌-୧ ଅଞ୍ଚଳର ଶକ୍ତି ସୌରଭ ମହାପାତ୍ର ସହିଦନଗର ଥାନାରେ ଏଭଳି ଅଭିଯୋଗ କରିବା ପରେ ଏହି ରୢାକେଟ୍‌ର ଠକାମିର ଗୁମର ଖୋଲିଛି। କିଛି ମାସ ତଳେ ଫେସ୍‌ବୁକ୍‌ରେ ସୌରଭଙ୍କ ସହ ପ୍ରିୟଙ୍କ‌ାଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ସେ ଜଣେ ସୁନ୍ଦର ଯୁବତୀଙ୍କ ଫଟୋଦେଇ ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ ଏବଂ ସୌରଭଙ୍କୁ ସହ ପରିଚିତ ହୋଇଥିଲେ । ସମୟକ୍ରମେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଆଉ ଏହାର ସୁଯୋଗ ନେଇ ଗତ ଜୁଲାଇ ମାସରେ ସେ ସମସ୍ୟାରେ ଥିବା ଦର୍ଶାଇ ସୌରଭଙ୍କଠାରୁ ଗୁଗଲ୍‌ ପେ’ ଏବଂ ଫୋନ୍‌ ପେ’ ଜରିଆରେ ସାଢ଼େ ୬ଲକ୍ଷ ଟଙ୍କା ନେଇଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରାଇନଥିଲେ। ଏ ନେଇ ସୌରଭ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ପୁଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

v