ପାରାକୁ ଖାଇବାକୁ ଦେଉଥିଲେ ସାବଧାନ । ଜରିମାନା ଗଣିବେ

296

କନକ ବ୍ୟୁରୋ: କୌଣସି ନୂଆ ଜାଗାକୁ ବୁଲିବାକୁ ଯିବା ପୁର୍ବରୁ ସେଠିକାର ନିୟମ ବିଷୟରେ ଜାଣିନେବା ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏମିତି ଏକ ଲୋକପ୍ରିୟ ସ୍ଥାନ ହେଉଛି ଇଟାଲିର ଭେନିସ୍ ସହର । ଏଠାକୁ ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଏଠାର ସବୁଠୁ ଜନବହୁଳ ସ୍ଥାନ ହେଲା ସେଣ୍ଟ ମାର୍ସ ବାସିଲିକା, ପିଆଜା ସାନ୍ ମାର୍କୋ, କେନାଲ୍ ଗ୍ରାଣ୍ଡ, ସାନ୍ ପୋଲୋ ଇତ୍ୟାଦି । ଏହି ସବୁ ଅଞ୍ଚଳରେ ପାରାଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ । ଖାସ୍ ଏହି ଦୃଶ୍ୟ ଏଠିକାର ପରିଚୟ । ହେଲେ ଜାଣିଛନ୍ତି ଏହା ଉପରେ ରହିଛି କଡା ନିୟମ । ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନିୟମ ହେଉଛି ପାରାଙ୍କୁ ଦେଖିବେ ହେଲେ ତାଙ୍କ ଆଗରେ ଦାନାଟିଏ ବି ପକେଇ ପାରିବେ ନାହିଁ ।

 

କଥା ହେଲା ଏଠାରେ ବସିଥିବା ଦଳଦଳ ପାରାଙ୍କୁ ପୂର୍ବରୁ ପର୍ଯ୍ୟଟକ ମାନେ ଖାଇବାକୁ ଦେଉଥିଲେ । ହେଲେ ଏପରି କରିବା ଦ୍ୱାରା ସହରରେ ଆବର୍ଜନା ଜମିବାକୁ ଲାଗିଲା । ଏହି ଆବର୍ଜନା ସଫା କରିବାକୁ ସ୍ଥାନୀୟ ପ୍ରଶାସନକୁ ଖର୍ଚ୍ଚାନ୍ତ ହେବାକୁ ପଡିଲା । ଏଥିରେ ଅତିଷ୍ଠ ହୋଇ ସେଠିକାର ପ୍ରଶାସନ ପାରାଙ୍କୁ ଖାଇବାକୁ ଦେବା ଉପରେ କଡା ନିୟମ କଲେ । ସ୍ଥାନୀୟ ଲୋକ ହୁଅନ୍ତୁ ବା ପର୍ଯ୍ୟଟକ କେହିବି ପାରାଙ୍କୁ ଖାଇବାକୁ ଦେଇପାରିବେ ନାହିଁ । ଏପରି କଲେ ସେମାନଙ୍କୁ ୬୦ ହଜାରରୁ ଅଧିକ ଟଙ୍କାର ତଣ୍ଡ ଗଣିବାକୁ ପଡିବ । ଏପରି ନିୟମ ହେବା ପରେ ସମସ୍ତେ ସଚେତନ ହୋଇଯାଇଛନ୍ତି ।