ଚାଇନା ରଙ୍ଗକୁ ଛୁଇଁବା ମନା… ହୋଲି ପୂର୍ବରୁ ହୋଇଯାଆନ୍ତୁ ସତର୍କ ! ରଙ୍ଗ ଖେଳ ହୋଇପାରେ କାଳ । ଟିକେ ଅସାବଧାନ ହେଲେ ଆପଣଙ୍କୁ କବଜା କରିପାରେ କରୋନା ଭାଇରସ

3,290

କନକ ବ୍ୟୁରୋ: ଚାଇନା ରଙ୍ଗକୁ ଦୂରୁ ଜୁହାର । ରଙ୍ଗ ଆଣିପାରେ କରୋନା ଭାଇରସ । ହୋଳି ଖେଳିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ । ଚାଇନାର ରଙ୍ଗୀନ ରଙ୍ଗ ପ୍ରତି ରୁହନ୍ତୁ ସତର୍କ । କାରଣ ହୋଲିରେ ଆପଣଙ୍କ ହସ ଛଡାଇ ନେଇପାରେ ଚାଇନା ରଙ୍ଗ । ଆଉ ରଙ୍ଗର ଉତ୍ସବରେ ଆପଣଙ୍କର ସବୁ ଖୁସି ଫିକା ପଡିପାରେ । ଚୀନକୁ କବଜା କରିଥିବା ମାରାତ୍ମକ କରୋନା ଭାଇରସରେ ଛଟପଟ ହେଉଛନ୍ତି ସମସ୍ତେ । କରୋନା କବଳରେ ପଡି ହଜାର ହଜାର ଜୀବନ ଅକାଳରେ ଚାଲିଯାଉଛି । ଚୀନରେ ବ୍ୟାପୁଥିବା କରୋନା ପାଇଁ ସାରା ବିଶ୍ୱରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଚୀନରୁ ଆସୁଥିବା ସମସ୍ତ ଲୋକ ଆଉ ସବୁ ପ୍ରକାର ସାମଗ୍ରୀ ଉପରେ କଣକଣା ଜାରି କରାଯାଇଛି । ଆଉ ଏବେ ଚାଇନା ରଙ୍ଗକୁ ବ୍ୟବହାର ନକରିବାକୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାରଣ ରଙ୍ଗ ଭିତରେ ବି ଆସିପାରେ କରୋନା ଭଳି ଭୟଙ୍କର ଭାଇରସ ।

ତେବେ ଆଗକୁ ରଙ୍ଗର ପର୍ବ ହୋଲି ଆସୁଥିବାରୁ ସମସ୍ତେ ସମସ୍ତଙ୍କୁ ରଙ୍ଗମାରି ଖୁସି ମନାଇବେ । ବଜାରରେ ମିଳୁଥିବା ଭଳିକି ଭଳି ରଙ୍ଗ ଅବିର ମୁହଁ ଓ ଦେହରେ ବୋଳି ପର୍ବ ପାଳିବେ । ତେବେ ରଙ୍ଗ ଖେଳିବା ବେଳେ ଆଖି ଭଳି ସମ୍ବେଦନଶୀଳ ଅଙ୍ଗ ପ୍ରତି ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ବେଳେ ଏଥର କିନ୍ତୁ ଚାଇନା ରଙ୍ଗ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ରଙ୍ଗକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚାଇନା ରଙ୍ଗରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶାଯାଏ । ସବୁ ରଙ୍ଗଠାରୁ ଚାଇନା ରଙ୍ଗକୁ ସୁନ୍ଦର ଆଉ ସୁଗନ୍ଧମୟ କରିବାକୁ ଏଥିରେ ବିପୁଳ ପରିମାଣର ରାସାୟନିକ ସାମଗ୍ରୀ ବ୍ୟବହୃତ ହୁଏ । ଯାହା ଆମ ଶରୀର ଏବଂ ଚର୍ମ ଉପରେ କୁପ୍ରଭାବ ପକାଇଥାଏ । ଆଉ ଏଥର ଏହି ରାସାୟନିକ ରଙ୍ଗ ହିଁ କରୋନାର କାରଣ ହୋଇପାରେ ବୋଲି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯଦିଓ କରୋନା ଭାଇରସ ବ୍ୟାପିବା ପଛରେ ରାସାୟନିକ ଗ୍ୟାସ ବଡ କାରଣ ବୋଲି ବୋଲି ଚର୍ଚ୍ଚା ହେଉଛି । ତେଣୁ କାଳେ ସେହି ରାସାୟନିକ ରଙ୍ଗରେ ଭାଇରସ ଆସିଥିବ ଆଉ ତାହା ଆପଣଙ୍କ ଜୀବନକୁ କବଜା କରିନେବ ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ଡାକ୍ତରମାନେ ମଧ୍ୟ ଆଶଙ୍କା କରି ପରାମର୍ଶ ଦେଇଛନ୍ତି । ତେଣୁ ଚଳିତ ବର୍ଷ ହୋଲିରେ ହର୍ବାଲ ରଙ୍ଗ ବ୍ୟବହାର କରିବା ସହ ଚାଇନା ରଙ୍ଗଠୁ ଦୂରରେ ରୁହନ୍ତୁ । ଆଉ ରଙ୍ଗର ଏ ପର୍ବକୁ ଆହୁରି ରଙ୍ଗୀନ କରନ୍ତୁ…