ଲୁଟର ଏକ ସାଂଘାତିକ ତରିକା…ପୋଷ୍ଟାଲରେ ଘରକୁ ଆସିବ ଲେଟର, ଟିକେ ଭୁଲ କଲେ ଖାଲି ହୋଇଯାଇପାରେ ଆକାଉଣ୍ଟ ।

346

କନକ ବ୍ୟୁରୋ : ସାବଧାନ ! ସାମ୍ନାକୁ ଆସିଲା ଲୁଟର ଆଉ ଏକ ସାଂଘାତିକ ତରିକା ! ଖାଲି ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ ! ଅନଲାଇନ୍ ଲୁଟ୍, ଫ୍ରଡ୍ ଏବଂ ଠକେଇ ଭଳି ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଲୁଟର ଆଉ ଏକ ସାଂଘାତିକ ତରିକା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଲୁଟର ଏହା ଏମିତି ଏକ ତରିକା, ଯେଉଁଠି ଡାକ ମାଧ୍ୟମରେ ଆପଣଙ୍କୁ ଲଟେରୀର ଲୋଭ ଦେଖାଇ ଆପଣଙ୍କ ଆକାଉଂଟ ଖାଲି କରିଦବ ଲୁଟେରା । ତେବେ ଆସନ୍ତୁ ଜାଣିବା ଲୁଟର ଏହି ପୂରା ଘଟଣା କଣ ।

ଲୁଟର ଏଭଳି ଏକ ଘଟଣା ଆସିଛି ଉତ୍ତରପ୍ରଦେଶର କାସଗଞ୍ଜରୁ । ଅର୍ଚ୍ଚନା ଶାକ୍ୟ ନାମକ ଜଣେ ମହିଳାଙ୍କୁ ପୋଷ୍ଟାଲରୁ ଏକ ଲଫାପାଟିଏ ଆସିଥିଲା । ଯେତେବେଳେ ସେ ଲଫାପାଟିକୁ ଖୋଲିଥିଲେ, ତାଭିତରୁ କିଛି କାଗଜ ଏବଂ ସ୍କ୍ରାଚ୍ କୁପନଟିଏ ମିଳିଥିଲା । ଆଉ ଏହି କାଗଜ ଏବଂ ସ୍କ୍ରାଚ୍ କୁପନରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ, ଏବଂ ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋ ରହିଥିଲା । ଯେତେବେଳେ ମହିଳାଜଣଙ୍କ କୁପନଟିକୁ ସ୍କ୍ରାଚ୍ କରିଥିଲେ, ସେଥିରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ଲେଖାହୋଇଥିଲା । ଏବଂ ଲଫାପାରୁ ବାହାରିଥିବା ଅନ୍ୟ କାଗଜରେ ନିୟମ ଏବଂ ସର୍ତ ଲେଖାହୋଇଥିଲା ।

ତେବେ ଅର୍ଚ୍ଚନାଙ୍କ ପାଖକୁ ଲଫାପା ପହଂଚିବା ପରେ, ତାଙ୍କୁ କଲ୍ ପରେ କଲ୍ ଆସିବାରେ ଲାଗିଲା । ଯେଉଁଥିରେ ତାଙ୍କୁ ପୁରସ୍କାର ରାଶି ପାଇବାକୁ ହେଲେ, ପ୍ରଥମେ କିଛି ଟଙ୍କା ଜମା କରିବାକୁ ହେବ ବୋଲି ତାଙ୍କୁ କୁହାଯାଇଥିଲା । ମନରେ ସନ୍ଦେହ ସୃଷ୍ଟି ହେବାରୁ କୁପନରେ ଲେଖାଯାଇଥିବା ଫୋନ୍ ନମ୍ବରରେ କଲ୍ କରିଥିଲେ ଅର୍ଚନା । କିନ୍ତୁ ସେପଟୁ କୌଣସି ଉତର ମିଳିନଥିଲା । ଏହାପରେ ସେ ଫ୍ଲିପକାର୍ଟର ଅଫିସିଆଲ୍ କଷ୍ଟମର କେୟାର ନମ୍ବରରେ କଲ୍ କରିଥିଲେ । ଆଉ ଫ୍ଲିପକାର୍ଟ ପକ୍ଷରୁ ଯାହା କୁହାଯାଇଥିଲା, ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଫ୍ଲିପକାର୍ଟ କହିଥିଲା, କମ୍ପାନୀ ପକ୍ଷରୁ କୌଣସି ପ୍ରକାର ଭାଉଚର କିମ୍ବା କୁପନ ପୋଷ୍ଟାଲ ମାଧ୍ୟମରେ ପଠାଯାଏ ନାହିଁ । ଫ୍ଲିପକାର୍ଟ ଏକ ଅନଲାଇନ୍ ସପିଂ ୱେବସାଇଟ୍, ଏବଂ କମ୍ପାନୀ ତାର ସବୁ କାମ ଅନଲାଇନ୍ ମାଧ୍ୟମରେ କରିଥାଏ । ତେବେ ଆମାଜନ୍, ଫ୍ଲିପକାର୍ଟ ଭଳି ନାମୀଦାମୀ କମ୍ପାନୀ ନାଁରେ ଅନେକ ଫ୍ରଡ୍ ହେଉଥିବା ମାମଲା ସାମ୍ନାକୁ ଆସୁଥିବା ବେଳେ, ଠକେଇର ଏହି ନୂଆ ତରିକାକୁ ନେଇ ଅଧିକ ସାବଧାନ୍ ରହିବାର ଆବଶ୍ୟକତା ରହିଛି ।