ଘର ନିର୍ମାଣ କରୁନଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ, ଘର ଆଗରେ ଧାରଣା ଦେଲେ ବିଡ଼ିଓ । ପ୍ରତିଶ୍ରୁତି ମିଳିବାପରେ ଧାରଣାରୁ ଉଠିଲେ ।

1,062

କନକ ବ୍ୟୁରୋ: ହିତାଧିକାରୀଙ୍କ ଘର ଆଗରେ ବିଡ଼ିଓଙ୍କ ଧାରଣା । ସରକାର ଲୋକଙ୍କୁ ଦେଉଛନ୍ତି ଆବାସ ଯୋଜନାରେ ଘର ହେଲେ ହିତାଧିକାରୀ ଘର ନିର୍ମାଣ କରୁନଥିବାରୁ ହିତାଧିକାରୀଙ୍କ ଘର ଆଗରେ ଧାରଣା ଦେଲେ ବିଡ଼ିଓ । ଏଭଳି କିଛି ଖବର ଆସିଛି କାମାକ୍ଷାନଗର ତୁମୁସିଙ୍ଗା ପଂଚାୟତରୁ । ସ୍ଥିତି ଏପରିକି ହେଲା ଯେ, ହିତାଧିକାରୀ ଘର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ବିଡ଼ିଓ ଉଠିଛନ୍ତି ।

କେହି କଚ୍ଚା ଘରେ ରହିବେ ନାହିଁ । ଧନୀ ଗରିବ ସମସ୍ତଙ୍କ ମୁଣ୍ଡ ଉପରେ ରହିବ ଛାତ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେଇଛନ୍ତି ସରକାର । ଅନେକ ସମୟରେ ହିତାଧିକାରୀଙ୍କୁ ଘର ମିଳୁନଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଥାଏ, ହେଲେ ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୋସିଂହା ପଂଚାୟତରୁ ସାମ୍ନାକୁ ଆସିଛି ଭିନ୍ନ ଏକ ଚିତ୍ର । ଏଠି ହିତାଧିକାରୀଙ୍କୁ ଘର ପାଇଁ କାର୍ଯ୍ୟାଦେଶ ମିଳିଛି, ହେଲେ ହିତାଧିକାରୀ ଘର କରିବାରେ ବିଳମ୍ବ କରୁଛନ୍ତି । ତେଣୁ ବିଡିଓ ବିକାଶ ମହାନ୍ତି ଓ ବ୍ଲକ ଲୋକ ପ୍ରତିନିଧି ହିତାଧିକାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ ।

ତୁମୋସିଙ୍ଗା ପଂଚାୟତରେ ୧୨୭ ଜଣ ହିତାଧିକାରୀ ଆବାସ ଯୋଜନାରେ ଘର କରିନାହାନ୍ତି । ଏଣେ ଘର ନିର୍ମାଣ ଶେଷ କରିବା ପାଇଁ ସରକାରଙ୍କ ଚାପ ପଡୁଛି । ବ୍ଲକ ପ୍ରଶାସାନ ହିତାଧିକାରୀଙ୍କୁ ବାରମ୍ବାର ବୁଝାଇବା ସତ୍ୱେ ସେମାନେ ଘର କରୁନାହାନ୍ତି । ଶେଷରେ ନିରାସ ହୋଇ ବିଡିଓ ଧାରଣା ଦେବା ପରେ ଗାଁ ମଣ୍ଡପରେ ଏକ ବୈଠକ ବସିଥିଲା । ଘର ନିର୍ମାଣ କରିବା ପାଇଁ ହିତାଧିକାରୀ ଘର କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ବିଡିଓ ଧାରଣାରୁ ଉଠିଥିଲେ । ଆବାସ ଯୋଜନାରେ ପକ୍କା ଘର ପାଇ ବି ଘର କରିନଥିବା ପଂଚାୟତ ତାଲିକାର ଶୀର୍ଘରେ ଅଛି ତୁମୋସିଙ୍ଗା ।