ବାଇସିଂ ସରପଞ୍ଚ ଉପନିର୍ବାଚନ : ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ

58

କନକ ବ୍ୟୁରୋ : ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପ୍ରାର୍ଥୀ ପତ୍ର ଯାଞ୍ଚକୁ ନେଇ ବ୍ଲକ୍ ଅଫିସ୍ ପରିସରରେ ଉତ୍ତେଜନା । ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ନାମାଙ୍କନ ଦାଖଲ କରିଥିବା ୪ ପ୍ରାର୍ଥୀଙ୍କ ମଧ୍ୟରୁ ୩ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ନେଇ ଘୋଷଣା କରିବା ପରେ କଂଗ୍ରେସ ସମେତ ଅନ୍ୟ ପ୍ରାର୍ଥୀ ବିଡ଼ିଓଙ୍କୁ ଘେରାଉ କରିଛନ୍ତି। ଦୀର୍ଘ ୭ ଘଣ୍ଟା ଧରି ବିରୋଧୀ ବିଡ଼ିଓଙ୍କୁ ଘେରାଉ କରି ରଖିବା ପରେ ଆପୋଷ ଆଲୋଚନା ପାଇଁ ତହସିଲଦାର ଉମା ଶଙ୍କର ବେହେରା ରାୟଗଡ଼ା ବ୍ଲକରେ ପହଞ୍ଚି ବିରୋଧୀଙ୍କ ସହ ଆଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ଲକ୍ ଅଫିସ୍ ପରିସରରେ ପୁଲିସ୍ ମୁତୟନ ହୋଇଛନ୍ତି ।

ବାଇସିଂ ପଞ୍ଚାୟତ ସରପଞ୍ଚ ସିନା ବାବୁ ତାଡିଙ୍ଗଙ୍କ ୨୦୨୦ ଫେବ୍ରୁଆରି ମାସରେ ମୃତ୍ୟୁ ହୋଇଥିଲା। କରୋନା ଯୋଗୁ ଉପନିର୍ବାଚନ ଅଟକି ଥିବା ବେଳେ ନାଏବ ସରପଞ୍ଚ ସବିତା କରକରିଆ ଦାୟିତ୍ବ ତୁଲାଉଥିଲେ। କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ଅଧିକାରୀ ଫେବ୍ରୁଆରି ୨୪ରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସରପଞ୍ଚ ପଦବି ପାଇଁ ବାଣିଗଣା ଗ୍ରାମର ରାଇ ତାଡ଼ିଙ୍ଗ୍, ଭାସ୍କା ତାଡ଼ିଙ୍ଗ୍, ଦାଶୁ ତାଡ଼ିଙ୍ଗ୍ ଏବଂ ଡୁମାଗୁଡ଼ା ଗ୍ରାମର ତାପସ ତାଡ଼ିଙ୍ଗ୍ ପ୍ରାର୍ଥି ପତ୍ର ଦାଖଲ କରିଥିଲେ।

ଜାନୁଆରି ୨୯ ତାରିଖରୁ ଫେବ୍ରୁଆରୀ ୧ ତାରିଖ ମଧ୍ୟରେ ମୋଟ ୪ଟି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା। ଆଜି ପ୍ରାର୍ଥି ପତ୍ର ଯାଞ୍ଚ ପରେ ବିଭିନ୍ନ କାରଣକୁ ନେଇ ଭାସ୍କା ତାଡ଼ିଙ୍ଗ୍, ଦାଶୁ ତାଡ଼ିଙ୍ଗ୍, ତାପସ ତାଡ଼ିଙ୍ଗ୍ ପ୍ରାର୍ଥୀ ପତ୍ରକୁ ନାକଚ କରି ଦେଇଥିଲେ ନିର୍ବାଚନ ଅଧିକାରୀ। କେବଳ ରାଇ ତାଡ଼ିଙ୍ଗଙ୍କ ପ୍ରାର୍ଥୀ ପତ୍ର କାଏମ ରହିବା ନେଇ ବିଡ଼ିଓ ଘୋଷଣା କରିବା ପରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତାପସ ତାଡ଼ିଙ୍ଗ୍ ବିଡ଼ିଓଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଥିଲେ।

 

ପ୍ରାର୍ଥୀ ପତ୍ର କାଏମ ଥିବା ରାଇ ତାଡ଼ିଙ୍ଗଙ୍କ ସତ୍ୟପାଠ ଅସଂପୂର୍ଣ୍ଣ ଥିବା ସତ୍ତ୍ବେ କିପରି ତାହା କାଏମ ରହିଲା ବୋଲି ତାପସ ବିଡ଼ିଓଙ୍କୁ ପ୍ରଶ୍ନ କରିଥିଲେ। ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସ‌ାଦ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରକା, ଭବାନୀ ଜେନା ପ୍ରମୁଖ ବ୍ଲକ୍ ଅଫିସ୍ ପରିସରରେ ପହଞ୍ଚି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଗୁଡ଼ିକୁ ପୁନଃ ଯାଞ୍ଚ କରି କାଏମ ରଖିବାକୁ ଦାବି କରିଥିଲେ। କିନ୍ତୁ ଘୋଷଣା ହୋଇସାରିଥିବାରୁ ନିଷ୍ପତ୍ତିରେ ଆଉ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି କହିଥିଲେ ବିଡ଼ିଓ ଶ୍ରୀ ମାଝି। ଏଥିରେ କଂଗ୍ରେସ ନେତା ଓ କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବ୍ଲକ୍ ଅଫିସ ପରିସରରେ ହୋ ହାଲ୍ଲା କରିଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ବ୍ଲକ୍ ଅଫିସରେ ପହଞ୍ଚି ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାଶୁଝା କରିଛି। ରାତି ୭ଟା ପର୍ଯ୍ୟନ୍ତ କୌଣସି ନିର୍ଷ୍କସ ବାହାରି ପାରିନଥିବା ବେଳେ ନ୍ୟାୟ ନ ମିଳିଲେ ଆଇନର ଆଶ୍ରୟ ନେବାକୁ ବିରୋଧୀ ଚେତାବନୀ ଦେଇଛନ୍ତି।