ତୁ ଛିଡା ହେବୁ … ତୋ ଚଉଦ ପୁରୁଷ ବି ଛିଡା ହେବେ । ମୁଁ ଓଏଏସ ଅଫିସର, ତମ ଭଳିଆ ଦାଦନ ଶ୍ରମିକ ନୁହେଁ । ପ୍ରବାସୀ ଶ୍ରମିକଙ୍କୁ ଗାଳି ଦେଇ ହରଡଘଣାରେ ବାଳିଆପାଳ ବିଡ଼ିଓ ।

1,441

କନକ ବ୍ୟୁରୋ :  ମୁଁ ଜଣେ ଓଏଏସ୍‌ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପ… ପୂରା ଚୁପ୍ ।। ତମ ଚଉଦ ପୁରଷ ଏଠାରେ ଛିଡା ହେବେ। ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଢଙ୍ଗରେ ଗାଳି କରିଛନ୍ତି ବାଲିଆପାଳ ବିଡିଓ ଛବିରାଣୀ ସାହୁ। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ସୂଚନା ମୁତାବକ, ବୁଧବାର ସକାଳେ ଗୁଜୁରାଟର ସୁରେନ୍ଦ୍ରନଗରରୁ ଟ୍ରେନ୍‌ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ। ବ୍ଳକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା।

ଏଥିପାଇଁ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ ଗୋଟାଏରୁ ବ୍ଳକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ। ତେବେ ବହୁ ସମୟ ପରେ ମଧ୍ୟ କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବିଡିଓ। ସେମାନଙ୍କୁ ଗାଳିଗୁଲଜ କରିବା ସହ ସବୁ ବ୍ୟବସ୍ଥା ଶେଷ ହେବା ପର୍ଯ୍ୟନ୍ତ ସେମିତି ଛିଡା ହେବ ବୋଲି କହିଥିଲେ। ଦୁଇ ଦିନ ହେଲା ଟ୍ରେନରେ କିଛି ଖାଇନଥିବା ଓ ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଏହି ଶ୍ରମିକମାନେ ମୁଣ୍ଡକାନ ଆଉଁସି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।

କୋଭିଡ୍‌ ଯୁଦ୍ଧରେ ପ୍ରାଶାସନିକ ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। କରୋନା ଯୁଦ୍ଧରେ ଜିତିବା ପାଇଁ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ପ୍ରତିଦିନ ଲୋକଙ୍କୁ ଜୀବନର ନୂଆଦର୍ଶନ ଓ ପ୍ରେରଣା ଯୋଗାଇ ଉତ୍ସାହିତ କରୁଛନ୍ତି। କିନ୍ତୁ କେତେକଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀ ଯୋଗୁଁ ସରକାର ବଦନାମ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗର ଅର୍ଥ କ’ଣ ଏଇଆ ବୋଲି ଶ୍ରମିକମାନେ ଆଜି ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରି କହିଛନ୍ତି। ଅନ୍ୟପକ୍ଷରେ ବାଲିଆପାଳ ବିଡିଓ ଛବିରାଣୀ ସାହୁଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ, ଦାଦନ ଶ୍ରମିକମାନଙ୍କ ପାଇଁ ସେ ସବୁ ବ୍ୟବସ୍ଥା କରିଥିବା ବେଳେ ଆଜି ଆସିଥିବା ଶ୍ରମିକମାନଙ୍କ ମଧ୍ୟରୁ କେତେକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେମାନଙ୍କୁ ତାଗିଦ କରାଯିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଭିଡିଓ ଭାଇରାଲ୍‌ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସେ ଏହି ଶ୍ରମିକମାନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ଏହି ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି।