ସରକାରୀ କ୍ଷମତାର ଅପବ୍ୟବହାର: ଆଲବମ୍ ହିରୋ ସାଜିଲେ ଚିତ୍ରକୋଣ୍ଡା ବିଡିଓ । ସରକାରୀ ବାସଭବନରେ ହେଲା ଆଲବମ୍ ସୁଟିଂ । ଅଭିନେତ୍ରୀଙ୍କୁ ନେଇ ବୋଟରେ କଲେ ଅଭିନୟ…

1,171

କନକ ବ୍ୟୁରୋ: ବିଡିଓଙ୍କ ହିରୋ ନିଶା । ସ୍ୱାଭିମାନ ଅଂଚଳରୁ ଆସିଲା ସରକାରୀ ବାବୁଙ୍କ କ୍ଷମାତାର ଅପବ୍ୟବହାର ରି ଚିତ୍ର । ଏହି ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରୁଥିବା ହିରୋ ଜଣକ ହେଲେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ । ଗତ ଅଗଷ୍ଟ ୨୦୧୮ରେ ଚିତ୍ରକୋଣ୍ଡା ବିଡିଓ ଭାବେ ଯୋଗ ଦେଇଛନ୍ତି ଏହି କ୍ଲାସ– ୧ ଓଏଏସ ଅଧିକାରୀ ଜଣକ । ଆଉ ଯୋଗ ଦେବା ଦିନ ଠାରୁ ସଫଳତା ଠାରୁ ଦୁର୍ନୀତିକୁ ନେଇ ବେଶ ଚର୍ଚାରେ ରହି ଆସୁଛନ୍ତି ବାବୁ ଲରିମନ ।

ତେବେ ଦୁର୍ନୀତି ସହ ରଙ୍ଗୀନ ମିଜାଜ ଲାଗି ବେଶ ପରିଚିତ ବାବୁ ଲରିମନ । ପୁର୍ବରୁ ଲରିମନ ଅନେକ ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରିଛନ୍ତି, ତେବେ ତାହା ତାଙ୍କ ବ୍ୟକ୍ତିଗତ ଜୀବନର ଅଂଶ ହୋଇ ଥିବାରୁ ଆମର ସେଥିରେ ଅପତି କିଛି ନାହିଁ । ତେବେ ସ୍ୱାଭିମାନ ଅଂଚଳରେ ତିଆରି ହୋଇଥିବା ଏହି ଭିଡିଓରେ ବିଡିଓ ଲରିମନ ଖରସେଲ ନିଜ ଶୌକ ପାଇଁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଡିଓଙ୍କ ସରକାରୀ ବାସ ଭବନରେ ନାୟୀକାଙ୍କୁ ଆଣି ଭିଡିଓ ଶୁଟିଂ କରିବା କେତେ ଯୁକ୍ତି ଯୁକ୍ତ ତାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି ସ୍ୱାଭିମାନ ଅଂଚଳବାସୀଙ୍କ ଯାତାୟାତ ଲାଗି ଆସି ଥିବା ମୋଟର ଲଂଚ ଗୁଡିକର ମଧ୍ୟ ଅପବ୍ୟବହାର କରି, ବାବୁ ଲରିମନ ଆକାଶ ମାର୍ଗରୁ ମନୋରମ ଚିତ୍ର ଉତୋଳନ କରି ବେଶ ଚର୍ଚାରେ ଅଛନ୍ତି । ଯେତେବେଳେ ସାରା ବିଶ୍ୱ କୋରନା ମହାମାରି ସହ ଲଢେଇ ଜାରି ରଖିଥିଲା, ପଂଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ମାନେ କରୋନା ମହାମାରି ସହ ଲଢେଇ କରୁଥିଲେ, ଠିକ ସେହି ସମୟରେ ସ୍ୱାଭିମାନ ଅଂଚଳରେ ଚାଲୁ ଥିଲା ଜଣେ ଦାୟୀତ୍ୱ ସମ୍ପନ୍ନ ଅଧିକାରୀଙ୍କ ଆମବମ ଶୁଟିଂ ।

ଗୁରୁତ୍ୱପୁର୍ଣ କଥା ହେଉଛି, ସ୍ୱାଭିମାନ ଅଂଚଳରେ ବିକାଶ ଲାଗି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଖୋଦ ସଚିବ ଠାରୁ ଆରମ୍ଭ କରି ପୁଲିସର ବରିଷ୍ଠ ଅଧିକାରୀ ମାନେ ବାରମ୍ବାର ଅଂଚଳକୁ ଗସ୍ତ କରି ସ୍ୱାଭିମାନ ଅଂଚଳର ବିକାଶ ଲାଗି ଅହରହ ସଂଗ୍ରାମ କରୁଛନ୍ତି । ଏହାରି ଭିତରେ ପାଇଖାନା ଦୁର୍ନୀତିରେ କୋଟି କୋଟି ଟଙ୍କା ଚଳୁ ହୋଇ ଥିବା ନେଇ କନକ ନ୍ୟୁଜ ବାରମ୍ବାର ଖବର ପ୍ରସାରଣ କରି ଆସିଛି । ଏପରି ସ୍ଥିତରେ ଖୋଦ ବିଡିଓଙ୍କ ଏପରି ଆଲବମ କିମ୍ବା ହିରୋ ନିଶା କେଉଁ ଆଡେ ଇଶାରା କରୁଛି, ତାହା ଯେ କେହି ଅନୁମାନ କରି ପାରିବେ ।