ଆଜିଠୁ ଭୁବନେଶ୍ୱରେ ପାର୍କ ଉତ୍ସବ । ଇନ୍ଦିରା ଗାନ୍ଧି-ମଧୁସୂଦନ ଦାସ ପାର୍କରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ । ୭ଟି ରବିବାରରେ ୭ଟି ପାର୍କରେ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ

142

କନକ ବ୍ୟୁରୋ: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଜିଠାରୁ ଆରମ୍ଭ କରୁଛନ୍ତି ପାର୍କ ଉତ୍ସବ । ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ଗପ କହିବା ପରି ବହୁ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ କରାଯିବ । ଆଜି ଏହି କାର୍ଯ୍ୟକ୍ରମ ରାଜଧାନୀର ଦୁଇଟି ପାର୍କରେ ଅନୁଷ୍ଠିତ ହେବ । ୟୁନିଟ୍-୨ ସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଓ ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କରେ ପ୍ରଥମ ପର୍ଯ୍ୟାୟରେ ଏହି ପାର୍କ ଉତ୍ସବ ଅନୁଷ୍ଠିତ ହେବ । ଧିର ଧିରେ ଏହି କାର୍ଯ୍ୟକ୍ରମ ଅନ୍ୟ ପାର୍କରେ ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ରବିବାର ସକାଳେ ପଥୋତ୍ସବ ଆୟୋଜିତ ହେଉଥିଲା ।

କେବେ ଓ କେଉଁଠି ହେବ ‘ପାର୍କ ଉତ୍ସବ’

-ଫେବ୍ରୁଆରି ୨- ଇନ୍ଦିରା ଗାନ୍ଧି ପାର୍କ ଓ ମଧୁସୂଦନ ଦାସ ପାର୍କ

-ଫେବ୍ରୁଆରି ୯- ବିଜୁ ପଟ୍ଟନାୟକ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ

-ଫେବ୍ରୁଆରି ୧୬- ମହାତ୍ମା ଗାନ୍ଧି ପାର୍କ ଓ ଖାରବେଳ ପାର୍କ

-ଫେବ୍ରୁଆରି ୨୩- ନିକୋ ପାର୍କ ଓ ମଧୁ ସୂଦନ ପାର୍କ

-ମାର୍ଚ୍ଚ ୧- ଇନ୍ଦିରା ଗାନ୍ଧି ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ

-ମାର୍ଚ୍ଚ ୮- ବିଜୁ ପଟ୍ଟନାୟକ ପାର୍କ ଓ ଖାରବେଳ ପାର୍କ

-ମାର୍ଚ୍ଚ ୧୫- ନିକୋ ପାର୍କ ଓ ମଧୁ ସୂଦନ ପାର୍କ

ପାର୍କ ଉତ୍ସବରେ ଓ୍ଵାଲ ପେଣ୍ଟିଂ, କାହାଣୀ କହିବା, ଯୋଗ, ମାଟିପାତ୍ର ନିର୍ମାଣ, ମନୋରଂଜନ, ସଚେତନା ମୂଳକ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୋ ସଫେଇଓ୍ଵାଲା କାର୍ଯ୍ୟକ୍ରମ ବିଏମ୍ସି ଦ୍ୱାରା ଆୟୋଜନ ହେବ। ଏସିପି ଟ୍ରାଫିକ୍ ପକ୍ଷରୁ ଟ୍ରାଫି ନିୟମ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ। ସେହିପରି ଲୋକଙ୍କୁ ଭୁବନେଶ୍ୱର ଅର୍ବାନ ନଲେଜ ସେଣ୍ଟର ଦ୍ୱାରା ସାଇକ୍ଲିଂ ସଚେତନ କରାଯିବ। ପାର୍କର ସୁରକ୍ଷା ପାଇଁ ୧୦ ଜଣିଆ କର୍ମୀ ଉପସ୍ଥିତ ରହିବେ।