କରୋନା ମୁକାବିଲାରେ ବରିଷ୍ଠଙ୍କ ପାଇଁ ସହାୟକ ହୋଇପାରେ ବିସିଜି ଟିକା: ଆଇସିଏମଆର ସର୍ଭେ ତଥ୍ୟରୁ ଆସିଲା ଭଲ ଖବର; ଟିକା ପ୍ରୟୋଗ ପରେ ବୟସ୍କ କୋଭିଡ ରୋଗୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟିକା

294

କନକ ବ୍ୟୁରୋ: ମହାମାରୀ କରୋନା ମୁକାବିଲାରେ ବୟସ୍କ ଲୋକଙ୍କ ପାଇଁ ସହାୟକ ହୋଇପାରେ ବିସିଜି ଟିକା । ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି  । ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ଏହି ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ତେବେ ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି ।

ଆଇସିଏମଆର ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୮୬ ଜଣ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇଥିଲା ।  ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ଟିକା ଦିଆଯାଇଥିବାବେଳେ ୩୨ ଜଣଙ୍କୁ ଟିକା ଦିଆନଯାଇ ଅନୁଧ୍ୟାନରେ ରଖାଯାଇଥିଲା ।  ଟିକା ଦେବାର ଗୋଟିଏ ମାସ ପରେ ଗବେଷକମାନେ ସେମାନଙ୍କର ଅନୁଧ୍ୟାନ କରିଥିଲେ । ଏଥିରେ ଦେଖାଯାଇଥିଲା ଟିକା ନେଇଥିବା ଲୋକଙ୍କ ଦେହରେ କୋଭିଡ୍ ବିରୋଧରେ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା ।