କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ସେମିଫାଇନାଲରୁ ଟିମ୍ ଇଣ୍ଡିଆ ବିଦା ହେବା ପରେ ବିସିସିଆଇ ବଡ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଟିମରେ ଖେଳାଳୀ ଚୟନ ଠାରୁ ଆରମ୍ଭ କରି ଅଧିନାୟକ ପଦ ଯାଏଁ ସବୁଠି ବିସିସିଆଇ କରିପାରେ ବଡ ପରିବର୍ତ୍ତନ । ଆଉ ବିସିସିଆଇର ଏହି ଫର୍ମୁଲା ଅନୁଯାୟୀ, ଟି-୨୦ ଅଧିନାୟକ ପଦରୁ ବିଦା ହୋଇପାରନ୍ତି ରୋହିତ ଶର୍ମା । ଭିନ୍ନ ଫର୍ମାଟରେ ଭିନ୍ନ ଅଧିନାୟକ ନିଯୁକ୍ତ କରିବାକୁ  ବିସିସିଆଇ ବିଚାର କରୁଥିବା ନେଇ ଚର୍ଚ୍ଚା ବଢିଛି । ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହାକୁ ଲାଗୁ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଆଉ ଯଦି ଏମିତି ହୁଏ ତେବେ କୋହଲିଙ୍କ ଦଶା ଭୋଗିପାରନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଏହାସହ ବିସିସିଆଇ ପ୍ୟାନିକ ବଟମ୍ ଦବାଇଥିବା ନେଇ ଏକ ବାର୍ତ୍ତା ମଧ୍ୟ ଯିବ ।

Advertisment

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ଦୁଇ ଅଲଗା ଅଲଗା ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇପାରେ । ଦିନିକିଆରେ ରୋହିତ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ସେହିଭଳି ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ହେବା ପରେ ଏହା ଉପରୁ ପରଦା ହଟିବ । ଏଭଳି ପ୍ରୟୋଗ ପୂର୍ବରୁ ମଧ୍ୟ କରିଛି ବିସିସିଆଇ । ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଥିଲା । କିନ୍ତୁ ୨ଟି ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ପରମ୍ପରା ବେଶି ଦିନ ତିଷ୍ଠି ନଥିଲା । ପରବର୍ତ୍ତୀ ସମୟରେ ଦିନିକିଆ ଅଧିନାୟକ ପଦ ମଧ୍ୟ କୋହଲିଙ୍କୁ ଛାଡିବାକୁ ପଡିଥିଲା । ସେତେବେଳେ ବିସିସିଆଇର ନିଷ୍ପତ୍ତିକୁ ନେଇ ଅନେକ କ୍ରିକେଟପ୍ରେମୀ ପ୍ରଶ୍ନ ଉଠାଇଥିଲେ । କାରଣ କୋହଲିଙ୍କ ନେତୃତ୍ୱରେ ଦଳ ବିଦେଶ ମାଟିରେ ଦମଦାର ପ୍ରଦର୍ଶନ କରିବାରେ ସଫଳ ହେଉଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇର ଶୀର୍ଷ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଟିମ୍ ଇଣ୍ଡିଆର ଅଧିନାୟକ ପଦକୁ ନେଇ ଆଗୁଆ କହିବା ଯୁକ୍ତିଯୁକ୍ତି ହେବନାହିଁ । କିନ୍ତୁ ବୋର୍ଡ ଏନେଇ ବିଚାର କରୁଛି । ଦିନିକିଆ ଓ ଟି-୨୦ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତି ଦଳ ପାଇଁ ସଠିକ୍ ହେବ କି ନାହିଁ ସେ ବାବଦରେ ତର୍ଜମା ଚାଲିଛି । ଯେହେତୁ ୨୦୨୩ରେ ଭାରତରେ ଦିନିକିଆ ବିଶ୍ୱକପ ରହିଛି ତେଣୁ ଏ ବାବଦରେ ନିଷ୍ପତ୍ତି ନେବା ପୂର୍ବରୁ ବିସିସିଆଇ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରିବ । ବିସିସିଆଇ ଅଧିକାରୀଙ୍କ ମାନଙ୍କ ବୈଠକ ପରେ ଏନେଇ ଶେଷ ନିଷ୍ପତ୍ତି ନିଆଯିବ  ।

ରୋହିତଙ୍କ ଉପରୁ ଅଧିକ ଚାପ ହଟାଇବା ପାଇଁ ଏଭଳି କରାଯିବ ବୋଲି ବିସିସିଆଇର ଶୀର୍ଷ ସ୍ତରର ଅଧିକାରୀ ଜାତୀୟ ଗଣମାଧ୍ୟମକୁ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଟି-୨୦ରେ ଯେହେତୁ ଯୁବ ଟିମର ଅଧିକ ଆବଶ୍ୟକତା ରହୁଛି ତେଣୁ ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇପାରେ ବିସିସିଆଇ । ଏପରିକି ଏଥିପାଇଁ ମୁଖ୍ୟ କୋଚ୍ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବୈଠକ କରିପାରେ ବିସିସିଆଇ  ।ଯେଉଁଠି ଟିମ୍ ଇଣ୍ଡିଆର ଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହେବ । ସେହିଭଳି ଚୟନକର୍ତ୍ତା ଟିମ ଉପରେ ମଧ୍ୟ ଖପ୍ପା ଅଛି ବିସିସିଆଇ । ଚୟନକର୍ତ୍ତା ଟିମର ଅଧ୍ୟକ୍ଷ ଚେତନ ଶର୍ମାଙ୍କୁ ମଧ୍ୟ ବିଦା କରିପାରେ ବୋର୍ଡ ।