କନକ ବ୍ୟୁରୋ: ଆଇପିଏଲ୍-୨୦୨୨ର ମୁଖ୍ୟ ପ୍ରାୟୋଜକ ସାଜିଛି ଟାଟା ଗ୍ରୁପ୍ । ଚୀନ୍ କମ୍ପାନୀ ଭିଭୋ ଏହି ପଦରୁ ହଟିବା ପରେ ଏବେ ବିସିସିଆଇ ଟାଟା ଗ୍ରୁପ୍ ସହିତ ଏନେଇ ଚୁକ୍ତି କରିଛି । ତେବେ ଭିଭୋ ବଦଳରେ ଏବେ ଟାଟା ଗ୍ରୁପ୍ ଆଇପିଏଲ ସ୍ପନସର ହେବା ଯୋଗୁଁ ସବୁଠୁ ଅଧିକ ଫାଇଦା ମିଳିବାକୁ ଯାଉଛି ବିସିସିଆଇକୁ । ଭିଭୋ ମୁଖ୍ୟ ପ୍ରାୟୋଜକ ରହିଥିଲେ ବିସିସିଆକୁ ଯେତିକି ଲାଭ ହୋଇଥାନ୍ତା, ଏବେ ବିସିସିଆଇକୁ ତାଠାରୁ ଅଧିକ ପ୍ରାୟ ୧୩୦ କୋଟି ଟଙ୍କା ଲାଭ ହେବ ବୋଲି ଜଣାପଡିଛି ।
ମିଡିଆ ରିପୋର୍ଟ ମୁତାବକ, ଭିଭୋ ଏହି ଦୁଇ ବର୍ଷ ପ୍ରାୟୋଜକ ରହିବା ପାଇଁ ବିସିସିଆଇକୁ ମୋଟ ୯୯୬ କୋଟି ଟଙ୍କା ଦେଇଥାନ୍ତା । ହେଲେ ଏହି ପଦରୁ ହଠାତ୍ ଓହରିବା କାରଣରୁ ଭିଭୋକୁ କେବଳ ଚୁକ୍ତି ମୁତାବକ ୪୫୦ କୋଟି ଟଙ୍କା ଦେବାକୁ ହେବ । ତେଣୁ ଭିଭୋ ଆଗାମୀ ଦୁଇ ବର୍ଷ ପାଇଁ ଟାଇଟଲ ସ୍ପନସର ନରହିଲେ ମଧ୍ୟ ବିସିସିଆଇକୁ ୪୫୦ କୋଟି ଟଙ୍କା ଦେବାକୁ ପଡିବ । ଏହା ସହିତ ଟାଟା ଗ୍ରୁପ ପ୍ରତି ସିଜିନ ପାଇଁ ବିସିସିଆଇକୁ ୩୩୫ କୋଟି ଟଙ୍କା ଦେବ । ଏହିଭଳି ଭାବରେ ଆଗାମୀ ଦୁଇ ବର୍ଷ ଭିତରେ ବିସିସିଆଇ ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ପାଇଁ ପାଖାପାଖି ୧୧୨୦ କୋଟି ଟଙ୍କା ଆୟ କରିବ । ଯାହା ଫଳରେ ବିସିସିଆଇକୁ ଭିଭୋ ଅପେକ୍ଷା ପାଖାପାଖି ୧୩୦ କୋଟି ଟଙ୍କା ଅଧିକ ଲାଭ ହେବ ।
ସୂଚନା ମିଳୁଛି ଯେ, ଆଗାମୀ ଦୁଇ ବର୍ଷ ପାଇଁ ଏବେ ଟାଟା ଗ୍ରୁପ୍ ଆଇପିଏଲର ମୁଖ୍ୟ ପ୍ରାୟୋଜକ ସାଜିଛି । ହେଲେ ଏହା ପୁଣି ୫ ବର୍ଷ ପାଇଁ ବୃଦ୍ଧି ପାଇପାରେ । ୨୦୨୪ରେ ଆଇପିଏଲ୍ ଟାଇଟଲ ସ୍ପନସର ପାଇଁ ଟେଣ୍ଡର ଡକାଯିବାକୁ ଅଛି । ଏହି ଟେଣ୍ଡର ପ୍ରକ୍ରିୟାରେ ଟାଟାକୁ ଅଗ୍ରାଧିକାର ଦେଇପାରେ ବିସିସିଆଇ ।