କନକ ବ୍ୟୁରୋ : ଆଇପିଏଲ ମହାମୁକାବିଲା ପାଇଁ ଖୁବଶୀଘ୍ର ଘୋଷଣା ହେବ ତାରିଖ । କେଉଁ ଷ୍ଟାଡିୟମରେ ଖେଳାଯିବ, କେଉଁ ଦିନ କେତୋଟି ମ୍ୟାଚ୍ ଖେଳାଯିବ, ଟାଇମ ଟେବୁଲ କଣ ରହିବ ତାହା ଏକପ୍ରକାର ସ୍ଥିର ହୋଇ ସାରିଛି । କେବଳ ମୋହର ବାଜିବା ବାକି ଅଛି । ଆଉ ଆସନ୍ତା ସପ୍ତାହରେ ଏନେଇ ଘୋଷଣା ହୋଇପାରେ ବୋଲି  ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇପାରେ ଆଇପିଏଲ । ଆଉ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ସପ୍ତାହରେ ପୂରା ସ୍କିଡ୍ୟୁଲ ପ୍ରକାଶ ପାଇବ । ତେବେ କରୋନା ପାଇଁ ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍ ପୁଣେ ଓ ମୁମ୍ବାଇରେ ହୋଇପାରେ । ଏନେଇ ଫ୍ରାଞ୍ଚାଇଜ ମାନଙ୍କୁ ସୂଚନା ଦିଆଯାଇଛି, ଯାହାଦ୍ୱାରା ସେମାନେ ଆଗୁଆ ହୋଟେଲ ବୁକିଂ କରିପାରିବେ । ତେବେ ଫାଇନାଲ ଓ ପ୍ଲେ-ଅଫ୍ ମ୍ୟାଚ୍ କେଉଁ ଷ୍ଟାଡିୟମରେ ଖେଳାଯିବ ତାହା ଏଯାବତ ସ୍ଥିର ହୋଇନଥିବା କୁହାଯାଉଛି ।

ପୂର୍ବରୁ ବିସିସିଆଇ ଆଇପିଏଲର ଉଦଘାଟନୀ ମ୍ୟାଚ୍ ୨୭ ମାର୍ଚ୍ଚରୁ ଆରମ୍ଭ କରିବାକୁ ସ୍ଥିର କରିଥିଲା ବିସିସିଆଇ । ତେବେ ପ୍ରସାରଣକାରୀ ସଂସ୍ଥା ୨୬ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲା । ଯେହେତୁ ମାର୍ଚ୍ଚ ୨୬ ଶନିବାର ପଡୁଛି ତେଣୁ ଏହାର ଫାଇଦା ଉଠାଇବାକୁ ପ୍ରସାରଣକାରୀ ସଂସ୍ଥା ଏଭଳି ପ୍ରସ୍ତାବ ଦେଇଥିଲା । ଏପରିକି ୨୭ ମାର୍ଚ୍ଚରେ ୨ଟି ମୁକାବିଲା ଦେଖିବାକୁ ମିଳିପାରେ କୁହାଯାଉଛି । ଏସବୁ ଭିତରେ ଚଳିତବର୍ଷ କରୋନା କଟକଣା କାରଣରୁ ଫାଇନାଲ ସମେତ ସମସ୍ତ ପ୍ଲେ-ଅଫ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ ବୋଲି କୁହାଯାଉଛି । ତେବେ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ତେବେ ଆସନ୍ତା ସପ୍ତାହରେ ଆଇପିଏଲ ପାଇଁ ତାରିଖ ଘୋଷଣା ସହ କେଉଁ ଷ୍ଟାଡିୟମରେ କେବେ ମ୍ୟାଚ୍ ଖେଳାଯିବ ତାହା ଉପରୁ ପରଦା ହଟିବ ।