ଖେଳରତ୍ନ ପୁରସ୍କାର ପାଇଁ କୋହଲିଙ୍କ ନାମ ସୁପାରିଶ କଲା ବିସିସିଆଇ ! ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ରାହୁଲ ଦ୍ରାବିଡ ।

55

ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିସିସିଆଇ ନାମାଙ୍କିତ କରିଛି । ଏହା ସହ ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନାମ ପଠାଯାଇଛି । ଉଲ୍ଲେଖନୀୟ, ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ହେଉଛି ଖେଳ ଜଗତରେ ମିଳୁଥିବା ସବୁଠାରୁ ବଡ ସମ୍ମାନ ଅଟେ ।

ବିସିସିଆଇ ପକ୍ଷରୁ ମହାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ନାମ ଧ୍ୟାନଚାନ୍ଦ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ପ୍ରଶାସକ ସମିତି ପ୍ରମୁଖ ବିନୋଦ ରାୟ ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନାମ ସୁପାରିଶ କରିଛନ୍ତି ।

ଉଲ୍ଲେଖନୀୟ, ଚଳିତ ବର୍ଷ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା । ଆଉ ଏହି କାରଣ ପାଇଁ ରାହୁଲ ଦ୍ରାବିଡଙ୍କ ନାମ ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ରାହୁଲଙ୍କ ସୁପାରିଶରେ ୨୦୧୬ରେ ଭାରତ ଫାଇନାଲରେ ପହଞ୍ଚିଥିଲା । ସେ ଭାରତ ‘ଏ’ ଦଳର ମଧ୍ୟ କୋଚ ଅଛନ୍ତି ଏପରିକି ଜୁନିୟର ତଥା ସିନିୟର କ୍ରିକେଟ ମଧ୍ୟରେ ସେ ସେତୁର କାମ କରୁଛନ୍ତି ।

ତେବେ ବିସିସିଆଇ ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ନାମାଙ୍କନ ପଠାଇବା ବନ୍ଦ କରିଦେଇଥିଲା । କାରଣ ଖେଳାଳୀମାନଙ୍କ ସଫଳତାର ଶ୍ରେୟ ନେବା ପାଇଁ ଅନେକ କୋଚ ଆଗକୁ ଆସୁଥିଲେ । ତେବେ ବିସିସିଆଇ ବିରାଟ କୋହଲିଙ୍କ ନାମ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଦ୍ୱିତୀୟ ଥର ସୁପାରିଶ କରିଛି । ୨୦୧୬ରେ ମଧ୍ୟ ଏହି ପୁରସ୍କାର ପାଇଁ ବିରାଟ କୋହଲିଙ୍କ ନାମ ସୁପାରିଶ କରାଯାଇଥିଲା । କିନ୍ତୁ ସେତେବେଳେ ରିଓ ଅଲମ୍ପିକ୍ସର ତିନି ଜଣ ତାରକା ଖେଳାଳୀ ପିବି ସିନ୍ଧୁ, ସାକ୍ଷୀ ମଲ୍ଲିକ ଏବଂ ଦୀପା କରମାକରଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା ।