ରଦ୍ଦ ହୋଇଗଲା ଶେଷ ଟେଷ୍ଟ ମ୍ୟାଚ୍, ଇଂଲଣ୍ଡ କ୍ରିିକେଟ ବୋର୍ଡକୁ ଲାଗିଲା ୪୦୦ କୋଟିର ଝଟକା ।

372

କନକ ବ୍ୟୁରୋ  : ଗୋଟିଏ ମ୍ୟାଚ୍ ରଦ୍ଦ, ୪୦୦ କୋଟିର କ୍ଷତି । କରୋନା ପାଇଁ ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ କିଛି ଏଭଳି ସ୍ଥିତି ଉପୁଜିଛି । ଟିମ୍ ଇଣ୍ଡିଆ କ୍ୟାମ୍ପରେ କରୋନା ସଂକ୍ରମଣ ବଢିବା କାରଣରୁ ମ୍ୟାଚ୍ ଖେଳିବାକୁ ମନା କରିଥିଲେ ଭାରତୀୟ ଖେଳାଳି । ଯାହାଫଳରେ ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏଭଳି ନିଷ୍ପତ୍ତି  ପାଇଁ ଏବେ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ବଡଧରଣର କ୍ଷତି ସହିବାକୁ ପଡିଛି ବୋଲି ସୂଚନା ମିଳିଛି ।

ମ୍ୟାଚ୍ ରଦ୍ଦ ହେବା ପରେ ବିସିସିଆଇ ଆସନ୍ତାବର୍ଷ ଇଂଲଣ୍ଡରେ ଆହୁରି ଦୁଇଟି ଅତିରିକ୍ତ ଟି-୨୦ ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେଇଛି । ଟେଷ୍ଟ ମ୍ୟାଚ ରଦ୍ଦ ହେବା କାରଣରୁ ଇଂଲଣ୍ଡ ବୋର୍ଡକୁ ଯେଉଁ କ୍ଷତି ପହଞ୍ଚିଛି ତାହାର ଭରଣା କରିବାକୁ ଏଭଳି ପ୍ରସ୍ତାବ ଦେଇଛି ବିସିସିଆଇ । ତେବେ ଶେଷ ଟେଷ୍ଟକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ ।

ପଞ୍ଚମ ଟେଷ୍ଟ ପାଇଁ ବିଭିନ୍ନ ବିଜ୍ଞାପନ ସଂସ୍ଥା ପାଖାପାଖି ୨୫ ମିଲିୟନ ପାଉଣ୍ଡ ଦେଇଥାନ୍ତେ । ବିଭିନ୍ନ ସଂସ୍ଥା ପକ୍ଷରୁ ଏହି ବିଜ୍ଞାପନର ବୈଧତା ୫ ଦିନ ରହିଥାନ୍ତା । ତେଣୁ ୨ଟି ଟି-୨୦ ପାଇଁ ଏହି ସଂସ୍ଥା ରାଜି ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କିନ୍ତୁ ଦୁଇଟି ଟି-୨୦ରେ ଯେଉଁ ଆୟ ହେବ ତାହା ଟେଷ୍ଟ କ୍ରିକେଟର ଆୟ ଠାରୁ ମଧ୍ୟ ଅଧିକ ହେବ । କିନ୍ତୁ ଏହି ପ୍ରସ୍ତାବକୁ ଇସିବି ଗ୍ରହଣ କରୁଛି କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ।

ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଏହାର ଫଳାଫଳ କଣ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ପୂର୍ବରୁ ମ୍ୟାଚ୍ ରଦ୍ଦ ପାଇଁ ଇଂଲଣ୍ଡ ବୋର୍ଡ ଇଂଲଣ୍ଡକୁ ମ୍ୟାଚର ବିଜେତା ବୋଲି ସଂକେତ ଦେଇଥିଲା । କିନ୍ତୁ ଏହାକୁ ନେଇ ବିସିସିଆଇ ପକ୍ଷରୁ ଆପତ୍ତି  ଉଠିବାରୁ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିଲା ଇଂଲଣ୍ଡ କ୍ରିକେଟ ବୋର୍ଡ । ତେବେ ଏହାପରେ ଏହି ମ୍ୟାଚର ଫଳାଫଳ ପାଇଁ ଆଇସିସିକୁ ଚିଠି ଲେଖିଥିବା କହିଥିଲା ଇଂଲଣ୍ଡ କ୍ରିକେଟ ବୋର୍ଡ । କିନ୍ତୁ ଇଂଲଣ୍ଡ କ୍ରିକେଟ ବୋର୍ଡର କୌଣସି ମେଲ୍ ଆସିନଥିବା କହିଛନ୍ତି ଆଇସିସିର ଜଣେ ଅଧିକାରୀ ।

ଅନ୍ୟପଟେ ବିଳମ୍ବରେ ହେଉ ପଛେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କାହିଁକି ମ୍ୟାଚ୍ ରଦ୍ଦ କରାଗଲା ତାହା ପଛର ପୂରା କାହାଣୀ କହିଛନ୍ତି ଗାଙ୍ଗୁଲି । ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ମ୍ୟାଚ୍ ଖେଳିବାକୁ ଭାରତୀୟ ଖେଳାଳୀ ମନା କରିଥିଲେ, ଯେଉଁଥିପାଇଁ ପଞ୍ଚମ ଟେଷ୍ଟକୁ ରଦ୍ଦ କରିବାକୁ ପଡିଲା । କିନ୍ତୁ ଏଥିପାଇଁ ଖେଳାଳୀଙ୍କୁ ଦୋଷ ଦେଇ ହେବ ନାହିଁ । ଫିଜିଓ ଯୋଗେଶ ପରମାର ଖେଳାଳୀଙ୍କ ସଂସ୍ପର୍ଶରେ ଆସଥିଲେ । ଆଉ ଯେତେବେଳେ ଯୋଗେଶ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ମିଳିଲା ସେତେବେଳେ ଅନ୍ୟ  ଖେଳାଳୀ ଚକିତ ହୋଇଯାଇଥିଲେ । ଏପରିକି ଖେଳାଳୀଙ୍କ ମଧ୍ୟରେ ଭୟ ରହିଥିଲା ଯେ, କାଳେ ସେମାନେ କରୋନାରେ ସଂକ୍ରମିତ ହୋଇଯିବେନି ତ? ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ଖେଳାଳୀ ।