ନୂଆବର୍ଷରେ ନୂଆ ଅଧିନାୟକ ଓ ନୂଆ କୋଚ୍! ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆରେ ହୋଇପାରେ ବଡ ପରିବର୍ତ୍ତନ, ବିସିସିଆଇ ନେଇପାରେ ବଡ ନିଷ୍ପତ୍ତି ।

160

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ଆକ୍ସନ ମୋଡରେ ଏବେ ବିସିସିଆଇ । ପ୍ରଥମେ ଚୟନକର୍ତ୍ତା କମିଟିକୁ ବିସିସିଆଇ ଭଙ୍ଗ କରିବା ପରେ ଏବେ ଦଳରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି । ଏପରିକି ଟି-୨୦ ଫର୍ମାଟରେ ବଡ ଧରଣର ଅଦଳବଦଳ କରିବାକୁ ବିସିସିଆଇ ମନସ୍ଥିର କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଓ କୋଚ୍ ଫର୍ମୁଲା ଆପଣାଇପାରେ ବିସିସିଆଇ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇ ଏବେ ଏହି ଫର୍ମୁଲା ଆପଣାଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଭାରତୀୟ ଟିମର ବ୍ୟସ୍ତ କାର୍ଯ୍ୟସୂଚୀ ଏବେ କେବଳ ଖେଳାଳୀ ନୁହେଁ ବରଂ ଟିମ୍ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଏଭଳି ସ୍ଥିତିରେ ଭିନ୍ନ ଫର୍ମାଟ ପାଇଁ କେବଳ ଭିନ୍ନ ଅଧିନାୟକ ନୁହେଁ ବରଂ ଭିନ୍ନ ଫର୍ମାଟ ପାଇଁ ଭିନ୍ନ କୋଚ୍ ମଧ୍ୟ ନିଯୁକ୍ତ କରିପାରେ । ଆଉ ଏହି କ୍ରମରେ ରାହୁଲ ଦ୍ରାବିଡଙ୍କୁ ଟି-୨୦ ଫର୍ମାଟରୁ ହଟାଇ କେବଳ ଦିନିକିଆ ଓ ଟେଷ୍ଟ ଟିମର କୋଚ୍ ନିଯୁକ୍ତ କରିପାରେ ବିସିସିଆଇ । ଯେହେତୁ ଆଗକୁ ଟି-୨୦ କାର୍ଯ୍ୟସୂଚୀ ଆହୁରି ବ୍ୟସ୍ତବହୁଳ ରହିବ ତେଣୁ ତାକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇପାରେ । ନୂଆବର୍ଷରେ ଟି-୨୦ ଫର୍ମାଟରେ ନୂଆ ଅଧିନାୟକ ଓ ନୂଆ କୋଚ୍ ପାଇପାରେ ଟିମ୍ ଇଣ୍ଡିଆ । କେବଳ ଏତିକି ନୁହେଁ ନୂଆ ଚୟନକର୍ତ୍ତା କମିଟି ମଧ୍ୟ ଖୁବଶୀଘ୍ର ଘୋଷଣା କରିପାରେ ବିସିସିଆଇ ।