ଏସିଆ କପ୍: ଆଜି ହେଇପାରେ ଭାରତୀୟ ଦଳ ଘୋଷଣା । ଜାଣନ୍ତୁ, କାହାକୁ ମିଳିପାରେ ସୁଯୋଗ?

961

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବାଂଲାଦେଶ ଏବଂ ନେପାଳ ଦଳ ଘୋଷଣା କରିସାରିଥିବାବେଳେ, ଆଜି ଦଳ ଘୋଷଣା କରିପାରେ ବିସିସିଆଇ ।

ଏଥର ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯାଉଛି । ଯାହାକି ପାକିସ୍ତାନ-ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ଏଥର ଏସିଆ କପର ୪ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ । ଏସିଆ କପ୍ ଖେଳସୂଚୀ ମୁତାବକ, ଭାରତୀୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ କରିବ ।

ଏଥର ଏସିଆ କପରେ ଜଶପ୍ରୀତ ବୁମରାଙ୍କୁ ସୁଯୋଗ ମିଳିବା ଏକପ୍ରକାର ପକ୍କା । ତାଙ୍କ ସହିତ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଦଳର ବୋଲିଂ ବିଭାଗ ସମ୍ଭାଳିବେ । ଦୁଇ ଜଣ ଯାକ ବୋଲର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରୁ ବିଶ୍ରାମ ନେଇଛନ୍ତି । ତେଣୁ ଏସିଆ କପରେ ଏହି ୩ ପ୍ରମୁଖ ବୋଲର ଭାରତୀୟ ବୋଲିଂ ଲାଇନ୍ ଅପର ମଙ୍ଗ ଧରିବେ । ଅନ୍ୟପଟେ ସାର୍ଦ୍ଦୁଲ ଠାକୁର ମଧ୍ୟ ସମ୍ଭାବ୍ୟ ଦଳରେ ରହିପାରନ୍ତି । ସେପଟେ ସ୍ପିନ୍ ବୋଲିଂରେ କୁଲଦୀପ ଯାଦବଙ୍କ ସହ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ ।

ଅଲରାଉଣ୍ଡର ଭାବେ ଏଥର ଏସିଆ କପରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେହିପରି ବ୍ୟାଟିଂ ଲାଇନ୍ ଅପରେ ରୋହିତଙ୍କ ସହ ଶୁଭମନ୍ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର ଏବଂ କେ ଏଲ ରାହୁଲଙ୍କୁ ଦେଖିବାକୁ ମିଳିପାରେ । ଉଭୟ ଶ୍ରେୟାସ ଏବଂ କେ ଏଲ ଏବେ ସୁସ୍ଥ ହେଇଥିବାରୁ ସେମାନେ ଏସିଆ କପ୍ ଖେଳିବା ଆଶା ଉଜ୍ଜୀବିତ ହୋଇଛି । ତାଙ୍କ ସହ ଇଶାନ କିଷାନ ଏବଂ ସଞ୍ଜୁ ସାମସନ୍ ୱିକେଟ୍ କିପର ଭାବେ ଦଳରେ ରହିପାରନ୍ତି ।