କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ ପାଇଁ ଖୋଜା ଚାଲିଛି ନୂଆ କୋଚ୍ । ଆଉ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରବିବାର ବିସିସିଆଇ ଆନୁଷ୍ଠାନିକ ଭାବେ ଏକ ଟ୍ୱିଟ୍ କରି ବିଜ୍ଞପ୍ତି ଜାରି କରିଥିବା ବେଳେ କିଏ ଆବେଦନ କରିପାରିବେ ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତେବେ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନୂଆ କୋଚଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଏହି ରେସରେ ସବୁଠୁ ଆଗରେ ରହିଥିବା କୁହାଯାଉଛି ।
ଟିମ୍ ଇଣ୍ଡିଆର କୋଚ୍ ପଦ ପାଇଁ ଆବେଦନ କରିବାକୁ ହେଲେ ବିସିସିଆଇକୁ ନିଜ ବାବଦରେ ତଥ୍ୟ ଉଲ୍ଲେଖ କରି ଇମେଲ କରିବାକୁ ହେବ । ତେବେ ନୂଆ କୋଚଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ । ତେବେ ନୂଆ କୋଚ୍ ପାଇଁ ବିସିସିଆଇ ପକ୍ଷରୁ କିଛି ମାପଦଣ୍ଡ ରଖାଯାଇଛି । ଯେପରିକି ଆବେଦନ କରିଥିବା ବ୍ୟକ୍ତି ସର୍ବନିମ୍ନ ୩୦ଟି ଟେଷ୍ଟ କିମ୍ବା ୫୦ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଆବଶ୍ୟକ । ଏହାଛଡା କୌଣସି ଦେଶର ଜାତୀୟ ଦଳର ଦୁଇ ବର୍ଷ ଯାଏଁ କୋଚ୍ ରହିଥିବା ଆବଶ୍ୟକ ନଚେତ କୌଣସି ଆଇପିଏଲ ଟିମ୍, ପ୍ରଥମ ଶ୍ରେଣୀ କ୍ରିକେଟ ଟିମର ୩ ବର୍ଷ ଯାଏଁ କୋଚ୍ ରହିବା ଆବଶ୍ୟକ । ଏସବୁ ବାଦ୍ ବିସିସିଆଇର ଲେବଲ-୩ ସାର୍ଟିଫିକେଟ ସହ ୬୦ ବର୍ଷରୁ କମ ବୟସ ହୋଇଥିବା ଆବଶ୍ୟକ ।
🚨 NEWS 🚨: BCCI invites Job Applications for Team India (Senior Men) and NCA
More Details 🔽
— BCCI (@BCCI) October 17, 2021
ବିସିସିଆଇ ପକ୍ଷରୁ ଯେଉଁ ବିଜ୍ଞପ୍ତି ଜାରି କରାଯାଇଛି ସେଥିରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ, ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଅକ୍ଟୋବର ୨୬ ମଧ୍ୟରେ ମୁଖ୍ୟ କୋଚ୍ ପାଇଁ ଆବେଦନ କରିପାରିବେ, ସେହିଭଳି ଅନ୍ୟ ପଦବୀ ପାଇଁ ନଭେମ୍ବର ୩ ସୁଦ୍ଧା ଆବେଦନ କରିପାରିବେ । ଟି-୨୦ ବିଶ୍ୱକପରେ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ନୂଆ କୋଚ୍ ମିଳିପାରେ ବୋଲି କୁହାଯାଉଛି । ଆଇପିଏଲ ଖେଳାଯାଉଥିବା ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ଦୁବାଇରେ ରାହୁଲଙ୍କ ସହ ମୁଖ୍ୟ କୋଚ ପାଇଁ ଆଲୋଚନା କରିଥିଲେ । ଆଉ ମିଳିଥିବା ସୂଚନା ମୁତାବକ, ରାହୁଲ ଏହି ପ୍ରସ୍ତାବରେ ହଁ ଭରିଥିବା କୁହାଯାଉଛି ।