ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ : ହୋଟେଲରେ ଦିଆଯାଉ ନାହିଁ ରୁମ୍ ସର୍ଭିସ; ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କରୁଛନ୍ତି ଭାରତୀୟ କିକ୍ରେଟ ଟିମର ଖେଳାଳୀ, ଆପତ୍ତି ପରେ ହସ୍ତକ୍ଷେପ କଲା ବିସିସିଆଇ

289

କନକ ବ୍ୟୁରୋ : ବ୍ରିସବେନରେ ବ୍ୟତିବସ୍ତ ଟିମ୍ ଇଣ୍ଡିଆ । ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିବା ଭାରତୀୟ ଖେଳାଳିଙ୍କ ପାଇଁ ନାହିଁ, ସାଧାରଣ ମୌଳିକ ସୁବିଧା । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସହଯୋଗ କରିବା ପାଇଁ କେହି ନାହାନ୍ତି ।

ହାଉସକିପିଂ ଯୋଗାଇ ଦିଆଯାଇ ନଥିବାବେଳେ ଖେଳାଳିଙ୍କୁ ନିଜ ରୁମର ବେଡ ନିଜେ ସଜାଡିବାକୁ ପଡୁଛି । ଏପରିକି ବାଥରୁମ୍ ଓ ଟଏଲେଟ ମଧ୍ୟ ନିଜେ ସଫା କରୁଛନ୍ତି ଖେଳାଳି । ଏଭଳି ଅବ୍ୟବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛି ଭାରତୀୟ କ୍ରିକେଟ ଦଳ । ହୋଟେଲରେ ଖେଳାଳି ପହଂଚିବା ପରେ ରୁମ ସର୍ଭିସ ସୁବିଧା ନଥିଲା । ନିଜ ବ୍ୟାଗ ଓ କ୍ରୀଡା ଉପକରଣ ଖେଳାଳିମାନେ ବୋହି ବୋହି ନିଜ ରୁମକୁ ନେଇଥିଲେ । ସେହିପରି ରୁମକୁ ଖାଦ୍ୟ ମଗାଇବାର ମଧ୍ୟ ବ୍ୟବସ୍ଥା ରଖାଯାଇ ନାହିଁ । କେବଳ ମୋବାଇଲ ଆପ୍ଲିକେସନ ଜରିଆରେ ବାହାରୁ ଖାଦ୍ୟ ମଗାଇବା ପାଇଁ ବ୍ୟବସ୍ଥା ରଖାଯାଇଛି । କରୋନା ଭାଇରସ ଜନିତ କଟକଣା ପାଇଁ ପୂର୍ବରୁ ଭାରତୀୟ ଦଳ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲା ।

ଅଗଷ୍ଟ ମାସରୁ ଖେଳାଳିମାନେ ଘରଠାରୁ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ବାରମ୍ବାର କଠୋର କ୍ୱାରେଂଟିନରେ ରହିବାକୁ ପଡୁଛି । ସିଡନୀରେ ମଧ୍ୟ ସେମାନଙ୍କୁ ଏହିଭଳି କଠୋର କଟକଣା ଭିତରେ ରହିବାକୁ ପଡିଥିଲା । କେବଳ ଗ୍ରାଉଣ୍ଡ ଓ ହୋଟେଲ ବ୍ୟତୀତ ଖେଳାଳିମାନେ ଆଉ କୁଆଡେ ଯାଇପାରି ନଥିଲେ । ହୋଟେଲ ବାଉଣ୍ଡରୀରେ ମଧ୍ୟ ବୁଲାବୁଲି କରୁବାକୁ ସୁଯୋଗ ଦିଆଯାଇନଥିଲା । କେବଳ ହୋଟେଲ କକ୍ଷରେ ଖେଳାଳି ପରସ୍ପରକୁ ଭେଟିଥିଲେ । ଏଭଳି ଅବ୍ୟବସ୍ଥାକୁ ନେଇ ବିସିସିଆଇକୁ ଜଣାଇଛନ୍ତି ଭଆରତୀୟ ଖେଳାଳି ।

ସେପଟେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଦିନରୁ ବିବାଦ ହୋଇ ଆସୁଛି । ସିଡନି ଟେଷ୍ଟରେ ଦର୍ଶକମାନଙ୍କ ଜାତିଆଣ ଆକ୍ଷେପ ପରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ଫାଇନ ମଧ୍ୟ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରିବାକୁ ପଛାଇ ନଥିଲେ । ସେ ଭାରତର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ବେଳେ ରବିଚନ୍ଦନ ଅଶ୍ୱିନଙ୍କୁ ‘ବତକ’ ବୋଲିଂ ସମ୍ବୋଧନ କରିଥିଲେ । ବାରମ୍ବାର ବିଭିନ୍ନ କଥା କହି ଚିଡ଼ାଉ ଥିଲେ । ଅଶ୍ୱିନ ମଧ୍ୟ ତାଙ୍କୁ କଡ଼ା ଜବାବ ଦେଇଥିଲେ ।