କନକ ବ୍ୟୁରୋ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଏଥିପାଇଁ ଖେଳସୂଚୀ ମଧ୍ୟ ଜାରି କରିଦିଆଯାଇଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଥିବାବେଳେ, ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

Advertisment

ତେବେ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଆଇସିସି ଇଭେଣ୍ଟ ୪୬ ଦିନ ଧରି ଚାଲିବାକୁ ଥିବାବେଳେ, ଏହା ଭିତରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଭାରତର ୧୦ଟି ଭେନ୍ୟୁରେ ଖେଳାଯିବା ନେଇ ଖେଳସୂଚୀ ସ୍ଥିର କରାଯାଇଛି । ତେବେ ଭାରତର ଏହି ୧୦ଟି ଷ୍ଟାଡିୟମକୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବାକୁ ବିସିସିଆଇ ଖର୍ଚ୍ଚ କରିବ ୫୦୦ ଶହ କୋଟି । ଅର୍ଥାତ ପ୍ରତି ଷ୍ଟାଡିୟମ ପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ଦିନିକିଆ ବିଶ୍ୱକପ୍ ହାଇଦ୍ରାବାଦ ସହିତ ଅହମ୍ମଦାବାଦ, ଧର୍ମଶାଳା, ଚେନ୍ନାଇ, ଦିଲ୍ଲୀ, ଲକ୍ଷ୍ନୌ, ପୁଣେ, ବାଙ୍ଗାଲୋର, ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବ । ଏହାସହିତ ଗୌହାଟୀ ଏବଂ ଥିରୁଅନନ୍ତପୁରମରେ କିଛି ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳାଯିବ । ତେଣୁ ଭାରତର ମୁଖ୍ୟ ୧୦ଟି ଷ୍ଟାଡିୟମକୁ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବାକୁ ବିସିସିଆଇ ଏବେ ଖର୍ଚ୍ଚ କରିବ ୫ ଶହ କୋଟି ।

ସୂଚନାଯୋଗ୍ୟ ଯେ, କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ବିଶ୍ୱକପ୍ ଭାରତରେ ଆୟୋଜିତ ହେବାକୁ ଯାଉଛି । ତେଣୁ ଏହି ବିଶ୍ୱକପକୁ ସଫଳ କରିବାକୁ ବିସିସିଆଇ ଜୋରସୋରରେ ପ୍ରସ୍ତୁତି ଚଳାଇଛି । ଭାରତର ୧୦ଟି ଷ୍ଟାଡିୟମରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏବଂ ଭିତ୍ତିଭୂମିକୁ ସୁଦୃଢ କରିବାକୁ ବିସିସିଆଇ ୫୦୦ କୋଟି ଖର୍ଚ୍ଚ କରିବ । ଯାହାଫଳରେ ପ୍ରତି ଷ୍ଟାଡିୟମ ପିଛା ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ମିଳିଥିବା ସୂଚନା ମୁତାବକ, ୨୦୧୧ ବିଶ୍ୱକପ୍ ଫାଇନାଲ ଖେଳାଯାଇଥିବା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ୍ ପାଇଁ ନୂଆ ଏଲଇଡି ଲାଇଟ୍ ଲଗାଯିବ । ଏହାସହ ଏହାର କର୍ପୋରେଟ୍ ବକ୍ସ ଏବଂ ଶୌଚାଳୟ ସୁବିଧାକୁ ମଧ୍ୟ ଅଧିକ ଉନ୍ନତ କରାଯିବ ବୋଲି ସୂଚନା ମିଳିଛି ।