କନକ ବ୍ୟୁରୋ: ବିସିସିଆଇ ସମ୍ବିଧାନ ସଂଶୋଧନ ମାମଲାରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି । ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେତା ବିସିସିଆଇର ପକ୍ଷ ରଖିଥିଲେ । ସେ ବିସିସିଆଇର କୁଲିଂ ଅଫ୍ ପରିୟଡ ବାବଦରେ କୋର୍ଟଙ୍କୁ ଅବଗତ କରାଇଥିଲେ । ସେ କହିଥିଲେ, ୨ଟି ଅବଧି ପରେ ୩ ବର୍ଷର କୁଲିଂ ଅଫ ପରିୟଡ ରହିଛି । ସେହିଭଳି ସର୍ବମୋଟ ୯ ବର୍ଷର କାର୍ଯ୍ୟକାଳ ରହିଛି । ଆସୋସିଏସନରେ ୭୦ ବର୍ଷ ଯାଏ ୯ ବର୍ଷର କାର୍ଯ୍ୟକାଳର ସମୟ ସୀମା ନିର୍ଦ୍ଧାରିତ ହୋଇଛି ।

Advertisment

ଏହାକୁ ନେଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ଆପଣ ସେଠାରେ ୭୫ ବର୍ଷୀୟ ବ୍ୟକ୍ତିଙ୍କୁ କାହିଁକି ଚାହୁଁଛନ୍ତି? ସଲିସିଟର ଜେନେରାଲ କହିଛନ୍ତି, ମୋର କହିବା କଥା ଯେ ବୟସର ହିସାବ ଆଇସିସି ନିର୍ଦ୍ଧାରଣ କରିଥାଏ । କେଉଁ ଦେଶରେ କଣ ମାନକ ରହିବ ତାହା ଆଇସିସି ନିର୍ଦ୍ଧାରଣ କରିଥାଏ । ଜଷ୍ଟିସ ଚନ୍ଦ୍ରଚୂଡ ପଚାରିଥିଲେ ଯଦି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ କେହି ଦୁଇ ଥର କାର୍ଯ୍ୟକାଳ ପୂରା କରିସାରିଛନ୍ତି ତେବେ ସେ ବିସିସିଆଇର ଅଧ୍ୟକ୍ଷ ପଦର ନିର୍ବାଚନ ଲଢିପାରିବେକି? ମେହେତା କହିଛନ୍ତି ବର୍ତ୍ତମାନର ନିୟମ ଅନୁସାରେ ଏହା ନିର୍ଣ୍ଣୟ ହେବ ।

ଏହି ପ୍ରସଙ୍ଗରେ ଆମିକସ କ୍ୟୁରି ମନିନ୍ଦର ସିଂହ କହିଛନ୍ତି, ପ୍ରଶାସନିକ କିମ୍ବା ଖେଳର ଅନୁଭବ ହେବା ପରେ ମଧ୍ୟ ତାଙ୍କୁ ବାହାରେ ବସିବାକୁ ପଡିବ । ମେହେତା ଏନେଇ କହିଥିଲେ, ଯଦି ସେହି ବ୍ୟକ୍ତି କୌଣସି ଷ୍ଟାଡିୟମ, ଖେଳ ପରିସର କିମ୍ବା ପ୍ରକଳ୍ପ ନିର୍ମାଣ କରୁଛନ୍ତି ତେବେ ଏହା ଶେଷ ହେବା ଯାଏ ତାକୁ ସେହି ପଦରେ ରହିବାର ଅଧିକାର ନାହିଁ । ତାକୁ କାର୍ଯ୍ୟକାଳ ଶେଷ ହେବା ପରେ ମଝିରୁ ପଦ ଛାଡିବାକୁ ପଡିବ ।

ମନିନ୍ଦର ସିଂହ କହିଥିଲେ, ବିସିସିଆଇ ଯେଉଁ ପ୍ରସ୍ତାବ ଦେଉଛି ସେଥିରେ ରାଜ୍ୟ ଏବଂ ବିସିସିଆଇ ପାଇଁ ଦୁଇ ଅଲଗା-ଅଲଗା ସର୍ତ୍ତ ରହିଛି । ଏଥିପାଇଁ ମୋର କହିବାକଥା, ନ୍ୟାୟାଳୟକୁ ବିଚାର କରିବା ଦରକାର । ଏହାକୁ ନେଇ କୋର୍ଟ ପ୍ରଶ୍ନ କରିଥିଲେ କଣ ଏହାକୁ ଆପଣ ସମର୍ଥନ କରୁଛନ୍ତି? ଏହାର ଉତ୍ତରରେ ଆମିକସ କ୍ୟୁରି କହିଥିଲେ, ଏହା ସବୁ ପଦାଧିକାରୀଙ୍କ କ୍ଷେତ୍ରରେ ଲାଗୁ ହେବା ଦରକାର ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ସୋମବାର କହିଥିଲେ, ଭାରତୀୟ କ୍ରିକେଟ ବୋର୍ଡର ଆବେଦନ ଉପରେ ସେପ୍ଟେମ୍ବର ୧୩ରେ ଶୁଣାଣି କରିବେ । ଏଥିରେ ଅଧ୍ୟକ୍ଷ, ସଚିବ ସହିତ ଅନ୍ୟ ପଦାଧିକାରୀଙ୍କ କାର୍ଯ୍ୟକାଳକୁ ନେଇ ସମ୍ବିଧାନ ସଂଶୋଧନ କରିବା ପାଇଁ ଶୀର୍ଷ ନ୍ୟାୟାଳୟର ଅନୁମତି ମାଗିଥିଲେ । ବିସିସିଆଇ ପ୍ରସ୍ତାବିତ ସଂଶୋଧନରେ ନିଜର ପଦାଧିକାରୀଙ୍କ ପାଇଁ କୁଲିଂ ଅଫ ଅବଧିକୁ ସମାପ୍ତ କରିବାପାଇଁ ଦାବି କରିଥିଲା । ଯେଉଁଥିରେ ସୌରଭ ଗାଙ୍ଗୁଲି, ଜୟ ଶାହାଙ୍କ ସହ ବିଭିନ୍ନ ରାଜ୍ୟର କ୍ରିକେଟ ଆସୋସିଏସନ ନିଜର ଛଅ ବର୍ଷର କାର୍ଯ୍ୟକାଳ ଶେଷ ପରେ ମଧ୍ୟ ଅଧ୍ୟକ୍ଷ, ସଚିବ ପଦରେ ରହିପାରିବେ ।