ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୂଚନା, ଭିଭିଏସ ଲକ୍ଷ୍ମଣ ହେବେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ

138

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଭିଭିଏସ୍ ଲକ୍ଷ୍ମଣ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ ପଦରେ ନିଯୁକ୍ତ ହେବେ । ରବିବାର ଦିନ ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । କହିରଖୁ କି କିଛିଦିନ ପୂର୍ବରୁ ସୌରଭ ଗାଙ୍ଗୁଲି ଲକ୍ଷ୍ମଣଙ୍କୁ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ହେବାକୁ ରାଜି କରାଇଥିଲେ । ଲକ୍ଷ୍ମଣ ଏନସିଏର ପୂର୍ବ ପ୍ରମୁଖ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ନିଯୁକ୍ତ ହେବେ ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ଏବେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସବୁବେଳେ ପ୍ରୟାସ କରିଛନ୍ତି କି ପୂର୍ବ କ୍ରିକେଟ ଖେଳାଳୀମାନେ ଆଗକୁ ଆସି ଭାରତୀୟ କ୍ରିକେଟର ବିକାଶ ପାଇଁ କାମ କରନ୍ତୁ । ଏହା ପୂର୍ବରୁ ବି ଗାଙ୍ଗୁଲି ରାହୁଲ ଦ୍ରାବିଡକୁ ଭାରତୀୟ ଟିମର ମୁଖ୍ୟ କୋଚ ହେବାକୁ ରାଜି କରାଇଥିଲେ । ଲକ୍ଷ୍ମଣଙ୍କୁ ଏନସିଏର ମୁୁଖ୍ୟ କରିବାକୁ କେବଳ ଗାଙ୍ଗୁଲି ନୁହେଁ ବସିସିଆଇ ସଚିବ ଜୟ ଶାହାଙ୍କ ସମେତ ଅନେକ ବିସିସିଆଇ ଅଧିକାରୀ ଚାହୁଁଥିଲେ ।

କହିରଖୁ କି ରାହୁଲ ଦ୍ରାବିଡ ଓ ଲକ୍ଷ୍ମଣଙ୍କ ମଧ୍ୟରେ ସୁସଂପର୍କ ରହିଛି । ଗୋଟେପଟେ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ ହୋଇଥିବା ବେଳେ ଲକ୍ଷ୍ମଣ ଏନସିଏର ମୁଖ୍ୟ ହେଲେ ଟିମ ଉପରେ ଏହାର ଭଲ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି । ନଭେମ୍ବର ୧୭ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ରାହୁଲ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ ଭାବେ କାମ କରିବେ । ତାଙ୍କର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ରହିଛି ।