କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ଆକ୍ସନ ମୋଡକୁ ଆସିଛି ବିସିସିଆଇ । ପ୍ରଥମେ ୫ ଜଣିଆ ଚୟନକର୍ତ୍ତା କମିଟିକୁ ଭାଙ୍ଗିଛି ବିସିସିଆଇ । ଅଥାର୍ତ ଆଗାମୀ ସିରିଜ ଗୁଡିକ ପାଇଁ ଟିମ୍ ଚୟନ କରିବେ ନୂଆ ଚୟନକର୍ତ୍ତା କମିଟି । ଖୁବଶୀଘ୍ର ନୂଆ ଚୟନକର୍ତ୍ତା କମିଟି ଘୋଷଣା କରିବ ବିସିସିଆଇ । ଆଉ ଏଥିପାଇଁ ଏବେଠୁ ଆବେଦନ ଗ୍ରହଣ କରୁଛି । ସବୁଠୁ ବଡ କଥା ହେଲା, ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ରେସରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ସର୍ବାଗ୍ରେ ରହିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକର ବିସିସିଆଇର ପ୍ରଥମ ପସନ୍ଦ ଚେହେରା ସାଜିଛନ୍ତି ।

Advertisment

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ବିସିସିଆଇ ପକ୍ଷରୁ ଅଜିତ ଅଗରକରଙ୍କ ସହ ଏ ବାବଦରେ ବିଧିବଦ୍ଧ ଭାବେ କୌଣସି ଆଲୋଚନା ହୋଇନାହିଁ । ଯଦି ଅଗରକର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରନ୍ତି ତେବେ ତାଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ଛାଡିବାକୁ ପଡିବ । ବିସିସିଆଇ ଅଗରକରଙ୍କୁ ଏହି ଭୂମିକା ପ୍ରଦାନ କରି ମଧ୍ୟ ଖୁସି ହେବ । କାରଣ ଅଗରକର କ୍ରିକେଟରୁ ସନ୍ନ୍ୟାସ ନେବାର ବେଶି ଦିନ ହୋଇନାହିଁ ଏବଂ ଏବେ ମଧ୍ୟ ଯୁବ ଖେଳାଳୀଙ୍କ ସହ କାର୍ଯ୍ୟ କରୁଛନ୍ତି । ଖାସକରି ଘରୋଇ କ୍ରିକେଟକୁ ମଧ୍ୟ ବେଶ ଭଲ ଭାବେ ବୁଝିଛନ୍ତି ଅଗରକର । ଯାହା ଟିମ୍ ଚୟନରେ ବେଶ ଗୁରୁତ୍ୱପୂର୍ଣ୍ଣ ।

କେବଳ ଅଗରକର ନୁହଁନ୍ତି ବରଂ ଏହି ରେସରେ ପୂର୍ବତନ କ୍ରିକେଟର ନୟନ ମୋଙ୍ଗିଆ, ଲକ୍ଷ୍ମଣ ଶିବରାମକୃଷ୍ଣନ ଓ ସଲିଲ ଅଙ୍କୋଲା ମଧ୍ୟ ରହିଛନ୍ତି । ତେବେ ମୁଖ୍ୟ ଚୟନକର୍ତ୍ତା ଭାବେ ବିସିସିଆଇର ମାନଦଣ୍ଡ କଣ ରହିଛି ତାହା ଉପରେ ଥରେ ନଜର ପକାନ୍ତୁ ।

- କୌଣସି ଖେଳାଳୀ ୭ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବେ

- ୩୦ରୁ ଅଧିକ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ୍ ଖେଳିଥିବେ

- ୧୦ ଦିନିକିଆ କିମ୍ବା ୨୦ ଲିଷ୍ଟ-ଏ ମ୍ୟାଚ୍ ଖେଳିଥିବେ

- ୫ ବର୍ଷରୁ ପୂର୍ବରୁ କ୍ରିକେଟରୁ ଅବସର ନେଇଥିବେ

- ବିସିସିଆଇର କୌଣସି କମିଟିର ସଦସ୍ୟ ହୋଇନଥିବେ

- ୫ ବର୍ଷ ପର୍ଯ୍ୟନ୍ତ ସେବା ଦେବାକୁ ଇଚ୍ଛୁକ ଥିବେ

ବିସିସିଆଇ ପକ୍ଷରୁ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି  ତାହାକୁ ପୂରା କରୁଛନ୍ତି ଅଜିତ୍ ଅଗରକର । ତେଣୁ ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ୍ ଅଗରକର ବିସିସିଆଇର ପ୍ରଥମ ପସନ୍ଦ ପାଲଟିପାରନ୍ତି । କାରଣ ଅଜିତ ଅଗରକରଙ୍କ ପାଖରେ ଅର୍ନ୍ତଜାତୀୟ କ୍ରିକେଟ ଖେଳିବାର ଦୀର୍ଘ ସମୟର ଅନୁଭୂତି ରହିଛି । ଅଜିତ ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୫୮ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ୧୯୧ ଦିନିକିଆରୁ ୨୮୮ ୱିକେଟ ହାତେଇଛନ୍ତି । ଏହାବାଦ୍ ୪ଟି ଟି-୨୦ ମ୍ୟାଚରେ ୩ଟି ୱିକେଟ ମଧ୍ୟ ହାସଲ କରିଛନ୍ତି । ଅଗରକର ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ୍ ଦାୟିତ୍ୱ ତୁଲାଉଛନ୍ତି ।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ କୁମ୍ବଲେ ଓ ଶ୍ରୀନାଥଙ୍କ ପରେ ସର୍ବାଧିକ ୱିକେଟ ହାସଲକାରୀ ସାଜିଥିବା ଅଗରକର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଟିମର ସଦସ୍ୟ ରହିଥିଲେ । ଏହାଛଡା ଆଇପିଏଲରେ ଦୀର୍ଘ ସମୟ ଧରି କାର୍ଯ୍ୟ କରି ଆସିଥିବାରୁ ଯୁବ ଖେଳାଳୀଙ୍କ ସହ ଭଲ ତାଳମେଳ ମଧ୍ୟ ରହିଛି । ଯାହା ବିସିସିଆଇକୁ ମୁଖ୍ୟ ଚୟନକର୍ତ୍ତା ବାଛିବା ବେଳେ ବେଶ ସୁହାଇବ ।