କ୍ୟାପଟେନ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ଖପ୍ପା? ଜାଣନ୍ତୁ କାହିଁକି?

401

କନକ ବ୍ୟୁରୋ : କ୍ୟାପଟେନ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ଖପ୍ପା ବିସିସିଆଇ । କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ଏଭଳି ଏକ ଖବର ଏବେ ସାମ୍ନାକୁ ଆସୁଛି । କାରଣ ଇଂଲଣ୍ଡ ଗସ୍ତରେ ଯାଇଥିବା ବିରାଟ ବାହିନୀ ଗତ ସପ୍ତାହରେ ଲଣ୍ଡନର ଏକ ହୋଟେଲରେ ଆୟୋଜିତ ହେଉଥିବା ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ । ଯେଉଁଠି ପ୍ରବଳ ମାତ୍ରାରେ ଭିଡ ରହିଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ଶାସ୍ତ୍ରୀ ଓ କୋହଲି ମଞ୍ଚ ମଧ୍ୟ ସେୟାର କରିଥିଲେ । କିନ୍ତୁ ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ବୋର୍ଡ ଠାରୁ ମଞ୍ଜୁରୀ ନିଆଯାଇନଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉକ୍ତ କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ ବିସିସିଆଇ ପାଖରେ ପହଞ୍ଚିଛି । ତେବେ ଏନେଇ କ୍ୟାପଟେନ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ଘଟଣା ବାବଦରେ ପଚରା ଯାଇପାରେ । ସବୁଠୁ ବଡ କଥା ହେଲା, ଭାରତୀୟ ଟିମ୍ ଇଂଲଣ୍ଡ କ୍ରିକେଟ ବୋର୍ଡ ଠାରୁ ବି ମଞ୍ଜୁରୀ ନେଇନଥିଲା । ତେଣୁ ଆଗକୁ ଯେପରି ଏପରି ଘଟଣା ନ ହୁଏ ସେଥିପାଇଁ ଇସିବି ସହ ଲଗାତାର ଯୋଗାଯୋଗରେ ରହିଛି ବିସିସିଆଇ । ବୁଧବାର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଚୟନ ସମିତିର ବୈଠକ ରହିଛି, ଯେଉଁଠି ଏହି ପ୍ରସଙ୍ଗ ଉଠିପାରେ ।

ତେବେ ଏହି ପ୍ରସଙ୍ଗ ବିସିସିଆଇ ପାଇଁ ଏଥିପାଇଁ ଗୁରୁତ୍ୱ ବହନ କରୁଛି କାରଣ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସରିବାର ୫ ଦିନ ପରେ ୟୁଏଇରେ ଆଇପିଏଲ ଖେଳାଯିବ, ଆଇପିଏଲ ସରିବାର ଦିନ କେଇଟା ଭିତରେ ଟି-୨୦ ବିଶ୍ୱକପ ଖେଳାଯିବ । ତେଣୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଖେଳାଳୀଙ୍କୁ ସତର୍କ ରହିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ତେବେ ପଞ୍ଚମ ଟେଷ୍ଟ ପୂର୍ବରୁ ବାୟୋ ବବଲ ନିୟମକୁ ଆହୁରି କଡାକଡି କରାଯିବ । ଏହି ବାୟୋ ବବଲ ଜରିଆରେ ଖେଳାଳୀ ମାନେ ୟୁଏଇ ଗସ୍ତ କରିବେ । ଯଦି ବାୟୋ ବବଲର ଉଲ୍ଲଂଘନ ହୁଏ ତେବେ ଦୁବାଇରେ ପହଞ୍ଚିବା ପରେ ଖେଳାଳୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ । ତେଣୁ ବାୟୋ ବବଲକୁ ଗୁରୁତ୍ୱ ଦେଉଛି ବିସିସିଆଇ ।

ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ ଖେଳୁଥିବା ବେଳେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଶାସ୍ତ୍ରୀ ନୁହଁନ୍ତି ବରଂ ବୋଲିଂ କୋଚ୍ ଭରତ ଅରୁଣ ଏବଂ ଆର ଶ୍ରୀଧର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ୧୦ ଦିନ ସଙ୍ଗରୋଧରେ ରଖାଯାଇଛି । ଏପରିକି ଟିମର ଫିଜିଓ ନୀତିନ ପଟେଲଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି ।