ଲକ୍‌ଡାଉନ୍‌ ବେଳେ ଗଣଦୁଷ୍କର୍ମ! ୮ ପୁଲିସ କର୍ମଚାରୀଙ୍କ ବିରୋଧରେ‌ ଏତଲା, ରାଜଧାନୀରେ ହଇଚଇ

ଲକ୍‌ଡାଉନ୍‌ ବେଳେ ଗଣଦୁଷ୍କର୍ମ! ୮ ପୁଲିସ କର୍ମଚାରୀଙ୍କ ବିରୋଧରେ‌ ଏତଲା, ରାଜଧାନୀରେ ହଇଚଇ

କନକ ବ୍ୟୁରୋ : ରାଜଧାନୀରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ। ପୁଣି ଏଥି‌ରେ ସଂପୃକ୍ତ ଅଛନ୍ତି ୮ ଜଣ ପୁଲିସ କର୍ମଚାରୀ! ସେମାନେ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଛନ୍ତି। ଥାନାରେ ଅଭିଯୋଗ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଦୁଇ ମାସ ତଳର ଏହି ଘଟଣା ପଦାକୁ ଆସିଛି। ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି। ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଥିବା ବେଳେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ମାମଲାର ତଦାରଖ କରୁଛନ୍ତି।

ମହିଳା ଥାନା ପୁଲିସ ପୀଡିତା ନାବାଳିକାଙ୍କର ଡାକ୍ତରୀ ମାଇନା କରାଇବା ସହ ସିଆରପିସି ଧାରା -୧୬୧ ଅନୁସାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଏଥିସହିତ ସିଆରପିସି ଧାରା -୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ବୟାନ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନାବାଳିକାଙ୍କ ଘର ଇନଫୋସିଟି ଥାନା ଅଞ୍ଚଳରେ। ପ୍ରାୟ ଦୁଇ ମାସ ତଳେ ଲକ୍‌ଡାଉନ୍‌ ଡ୍ୟୁଟିରେ ନିୟୋଜିତ ଥିବା ୭ରୁ ୮ ଜଣ ପୁଲିସ କର୍ମଚାରୀ ନାବାଳିକାଙ୍କୁ ଏକୁଟିଆ ଦେଖି ନିକାଞ୍ଚନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ।

ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିଲେ। ଘଟଣା ପ୍ରକାଶ କଲେ ଗୁଳି କରି ମାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ସେମାନଙ୍କ ଭିତରେ ଜଣେ ଡେପୁଟି ସୁବେଦାର ଥିବା କୁହାଯାଉଛି। ଘଟଣା ପରେ ନାବାଳିକାଟି ମାନସିକ ଚାପରେ ରହୁଥିଲେ। ବାପାମା ବାରମ୍ବାର ପଚାରିଥିଲେ ମଧ୍ୟ ପିଲାଟି ଭୟରେ ମୁହଁ ଖୋଲିନଥିଲା। ତେବେ ଏବେ ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ତେଣୁ ଝିଅକୁ ସାଙ୍ଗରେ ଧରି ବାପା ଗତ ୪ ଦିନ ତଳେ ଇନଫୋସିଟି ଥାନାକୁ ଯାଇଥିଲେ।

ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ନାବାଳିକାଙ୍କ ବାପା ମହିଳା ଥାନାରେ ଲିଖିତ ଅଭିଯୋଗ କରନ୍ତୁ ବୋଲି ତାଙ୍କୁ କୁହାଯାଇଥିଲା। ତେଣୁ ସେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତରୁ ଜଣା ପଡ଼ିଛି ଯେ ଦୁଷ୍କର୍ମକାରୀ ପୁଲିସ କର୍ମଚାରୀମାନେ କମିସନରେଟ ପୁଲିସର ନୁହନ୍ତି। ସେମାନେ ଅନ୍ୟ ଏକ ଜିଲ୍ଲାରୁ ଏଠାରେ ମୁତୟନ ହୋଇଥିଲେ। ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ କମିସନରେଟ ପୁଲିସର ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଛି। ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଘଟଣା ପ୍ରାୟ ଦୁଇରୁ ଚିନି ମାସ ତଳର। ଅଭିଯୋଗ ପାଇବା ପରେ ମାମଲା ରୁଜୁ କରାଯାଇଛି ଓ ଘଟଣାର ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଘରେ କାମ କରାଇବା ନାଁରେ ଜଣେ ଯୁବତୀଙ୍କୁ ଘରକୁ ନେଇ ସୁବେଦାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେହିପରି ବିବାହର ପ୍ରତିଶ୍ରୁତି ଦେଇ କ୍ୟାପିଟାଲ ଥାନାର ତତ୍କାଳୀନ ସବଇନ୍ସପେକ୍ଟର ରାକେଶ ସାମଲ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe