ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ନୂଆ ଟ୍ରେନ !! ଏହି ଏହି ଷ୍ଟେସନରେ ରହଣୀର କରାଯାଇଛି ବ୍ୟବସ୍ଥା, ଜାଣନ୍ତୁ ଟ୍ରେନର ସମୟସାରଣୀ

496

କନକ ବ୍ୟୁରୋ : ଭୁବନେଶ୍ବର ଓ କଟକ ଦ୍ବୈତସହରର ବାସିନ୍ଦାଙ୍କ ସହ ଏହାର ନିକଟବର୍ତ୍ତୀ ଅଞ୍ଚଳର ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ଓ କଟକ ମଧ୍ୟରେ ‘ଜନସାଧାରଣ ସ୍ବତନ୍ତ୍ର ଟ୍ରେନ୍’ ଚଳାଚଳ କରିବାକୁ ଯାଉଛି। ମାର୍ଚ୍ଚ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ମାସକ ପାଇଁ ପରୀକ୍ଷାମୂଳକ ଭାବେ ଚାଲିବାକୁ ଥିବା ଏହି ଟ୍ରେନ୍ କିନ୍ତୁ ଭୁବନେଶ୍ବରରୁ କଟକ ଯିବାବେଳକୁ ଘଣ୍ଟାଏ ଏବଂ କଟକରୁ ଭୁବନେଶ୍ବର ଫେରିଲାବେଳକୁ ୨ ଘଣ୍ଟା ୪୦ ମିନିଟ୍ ସମୟ ନେବ ବୋଲି ଜଣାପଡ଼ଛି।

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ; ଭୁବନେଶ୍ବରରୁ ପ୍ରତିଦିନ ଏହା ଅପରାହ୍ନ ୧ଟା ୩୦ରେ ବାହାରି କଟକରେ ଅପରାହ୍ନ ୨ଟା ୩୦ରେ ପହଞ୍ଚିବ। ହେଲେ କଟକରୁ ଅପରାହ୍ନ ୨ଟା ୪୦ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୫ଟା ୨୦ରେ ପହଞ୍ଚିବ। ଭୁବନେଶ୍ୱରରୁ ଏହି ଟ୍ରେନ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଯିବ ଏବଂ ସେଠାରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ।

ଭୁବନେଶ୍ବର ଓ କଟକ ମଧ୍ୟରେ ଏହି ଟ୍ରେନ୍ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନରେ ରହଣି କରିବ ଏବଂ ଫେରିବା ରାସ୍ତାରେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନରେ ରହଣି କରିବ। ଏହି ‌ମେମୁ ଟ୍ରେନ୍ ଚଳାଚଳ କରିବା ଦ୍ବାରା ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀଙ୍କ ଗମନାଗମନ ସୁବିଧାଜନକ ହେବ ବୋଲି କୁହାଯାଇଛି।