କନକ ବ୍ୟୁରୋ : ଅନୁଗୁଳ ସଦରମହକୁମା କରଡ଼ାଗାଡିଆ ଗାଁର ଶିବାଶିଷ ପ୍ରଧାନ । ପିଲାଦିନୁ ଯନ୍ତ୍ରୀ ହେବାର ଲକ୍ଷ୍ୟ ରଖିଥିଲେ । ସେଥିପାଇଁ ଏକ ଘରୋଇ କଲେଜରେ ଇଂଜିନିୟରିଂ ପାଠ ମଧ୍ୟ ପଢ଼ୁଥିଲେ । ଇଞ୍ଜିନିୟରିଂ ପାସ କରିବା ପରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ସେଥିରୁ ମିଳୁଥିବା ଦରମାରେ ଘର ଚଳାଇବା କଷ୍ଟକର ହୋଇପଡ଼ୁଥିଲା । ସେଥିପାଇଁ ଘରୋଇ କମ୍ପାନୀ ଚାକିରି ଛାଡ଼ି ନିଜସ୍ବ ଉଦ୍ୟମରେ କିଛି କରିବା ପାଇଁ ନିଷ୍ପତି ନେଇଥିଲେ । ଭଲ ରୋଜଗାର ଆଶାରେ ନିଜର ୭ ଏକର ଜମିରେ ମାଛ ସହ ମାଛ ଯାଆଁଳ ଚାଷ ଆରମ୍ଭ କଲେ । ଏଥିପାଇଁ ଜିଲ୍ଲା ମାଛ ଚାଷ କେନ୍ଦ୍ରରୁ ପରାମର୍ଶ ନେଇଛନ୍ତି । ଯାହା ତାଙ୍କୁ ଏବେ ଆଶାନୁରୁପକ ସଫଳତା ଦେଇଛି ।

Advertisment

ତିନି ବର୍ଷ ହେଲା ଶିବାଶିଷ ଉନ୍ନତ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି । ବାର୍ଷିକ ମାଛ ଯାଆଁଳରୁ ୬ ଲକ୍ଷ ଟଙ୍କା ଓ ମାଛରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଜେଇକାଟଲା, ମିରିକାଳି, ଗ୍ରାସକାଫ୍, ଅମୁଲ୍ କାଫ, କମନ୍ କାଫ୍, ଜୟନ୍ତୀ ରୋହି ଓ ମଧୁର ଜଳର ଚିଙ୍ଗୁଡ଼ି, ପୁଂଟିଅସ ଭଳି ମାଛ ଯାଆଁଳ ଚାଷ କରୁଛନ୍ତି । ପୋଖରୀର ଭିନ୍ନ ଭିନ୍ନ ଜାଗାରେ ଜାଲରେ କୋଠରୀ କରି ଏସବୁ ମାଛ ଚାଷ କରୁଛନ୍ତି। ପ୍ରତିଦିନ ସକାଳୁ ଆସି ସେମାନଙ୍କୁ ଖାଦ୍ୟ ଓ ଔଷଧ ଦିଅନ୍ତି। ଏସବୁ ବିକ୍ରି ପାଇଁ ପ୍ରସ୍ତୁତ ହୋଇଗଲେ ତାକୁ ଓଜନ କରି ବିକ୍ରୀ କରନ୍ତି । ଜିଲ୍ଲା ଓ ଜିଲ୍ଲା ବାହାରୁ ମାଛ ଚାଷୀ ଆସି ତାଙ୍କ ଠାରୁ ମାଛ ଓ ମାଛ ଯାଆଁଳ କିଣି ନିଅନ୍ତି। ଉନ୍ନତ ମାନର ମାଛ ଯାଆଁଳ କିଣି ବେଶ ଲାଭବାନ ହେଉଛନ୍ତି ଚାଷୀ ।

ଅନୁଗୋଳ ଭଳି ଶିଳ୍ପ ବହୁଳ ଜିଲ୍ଲାରେ ଅନେକ ଯୁବକ ଯୁବତୀ ଚାକିରି ଖଣ୍ଡିଏ ପାଇବା ପାଇଁ ସଂଘର୍ଷ କରୁଛନ୍ତି ।କିଏ କେଉଁଠି ଛୋଟ ମୋଟ ଚାକରି କରୁଛନ୍ତି ତ ପୁଣି କିଏ ଚାକିରି ପାଇବା ପାଇଁ ଅପେକ୍ଷା କରିଛନ୍ତି । ଏଭଳି ସ୍ଥିତିରେ ଯନ୍ତ୍ରୀରୁ ସଫଳ ମାଛ ଚାଷୀ ପାଲଟିଥିବା ଶିବାଶିଷଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।