କନକ ବ୍ୟୁରୋ : ପିଢ଼ି ପରେ ପିଢ଼ି ନିଜର କୌଳିକ ବୃତିକୁ ଆପଣାଇ ପରିବାର ପ୍ରତିପୋଷଣ କରନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ ଜେନା ସାହିର ୮୮ଟି ପରିବାର । ବାଉଁଶରେ କୁଲା, ବଉଁସିଆ, ଝୁଡି, ଟୋକେଇ, ପିଠାଡାଲା, ଭୋଗଡାଲା, ପାଛିଆ ଭଳି ସାମଗ୍ରୀ ତିଆରି କରୁଛନ୍ତି । ପୂର୍ବରୁ ବିବାହ ବ୍ରତ ହେଉ ଅବା ପୂଜାପର୍ବାଣି ବାଉଁଶରେ ତିଆରି ସାମଗ୍ରୀର ଆବଶ୍ୟକତା ପଡ଼ୁଥିଲା । ଏବେ ପ୍ଲାଷ୍ଟିକ୍ ଯୁଗରେ ଏସବୁ ଜିନିଷର ଚାହିଦା କମିଲାଣି । ସେହି ଅନୁସାରେ କାରିଗରଙ୍କ ରୋଜଗାର ମଧ୍ୟ କମିଲାଣି । ତେଣୁ ଶହଶହ ବର୍ଷର କୌଳିକ ବୃତିରୁ ମୁହଁ ଫେରାଇଲେଣି ବାଉଁଶ କାରିଗର।

Advertisment

କାରିଗରଙ୍କ ଆଉ ଏକ ପ୍ରମୁଖ ସମସ୍ୟା ହେଲା କଂଚାମାଲର ଅଭାବ । ଏହି ସବୁ ସାମଗ୍ରୀ ତିଆରି କରିବାକୁ ବାଉଁଶର ଅବଶ୍ୟକତା ପଡ଼ିଥାଏ । ଦିନକୁ ଦିନ ବାଉଁଶ ଗଛ ମଧ୍ୟ ଗାଁ ଗହଳିରୁ କମିଲାଣି । ଯେଉଁଠି କିଛି କିଛି ମିଳୁଛି ତାକୁ ମଧ୍ୟ ଅଧିକ ଦାମରେ କିଣିବାକୁ ପଡୁଛି । ତେଣୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୋତ୍ସାହନ ମିଳୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କାରିଗର ।

ପୂର୍ବରୁ ଅଳ୍ପ ରୋଜଗାର ହେଉଥିଲେ ମଧ୍ୟ ପରିବାର ପ୍ରତିପୋଷଣର ଏହା ଏକ ମାଧ୍ୟମ ଥିଲା । ହେଲେ ଏବେ ଏହାକୁ ମାଧ୍ୟମ କରି ପରିବାର ଚଳାଇବା ବେଶ କଷ୍ଟକର ହେଉଥିବା କହିଛନ୍ତି କାରିଗର ।