କନକ ବ୍ୟୁରୋ : ମୌସୁମୀ ବର୍ଷା ପରେ ପରେ ନବରଙ୍ଗପୁର ବଜାରରେ ଦେଖିବାକୁ ମିଳିଥାଏ କାଙ୍କଡ ପସରା । ବଜାରରେ ଦୁଇ ପ୍ରକାର କାଙ୍କଡ ମିଳିଥାଏ । ଗୋଟିଏ ହାଇବ୍ରିଡ଼ ଓ ଅନ୍ୟଟି ଦେଶୀ । ତେବେ ହାଇବ୍ରିଡ଼ କାଙ୍କଡ ପ୍ରାୟ ସବୁ ସ୍ଥାନରେ ମିଳୁଥିବା ବେଳେ କିନ୍ତୁ ଦେଶୀ କାଙ୍କଡ ନବରଙ୍ଗପୁର ବଜାରରେ ହିଁ ମିଳିଥାଏ । ଜିଲ୍ଲାର ଚନ୍ଦାହାଣ୍ଡିରେ ଥିବା ଜଙ୍ଗଲ ଗୁଡ଼ିକରୁ ଏହି କାଙ୍କଡ଼ ମିଳିଥାଏ । ହାଇବ୍ରିଡ଼ କାଙ୍କଡ ଅପେକ୍ଷା ନବରଙ୍ଗପୁର ବଜାରରେ ମିଳୁଥିବା ଦେଶୀ କାଙ୍କଡର ସ୍ୱାଦ ବେଶ ନିଆରା ହୋଇଥିବାରୁ ଏହାର ଚାହିଦା ମଧ୍ୟ ଅଧିକ ରହିଛି । ହାଇବ୍ରିଡ଼ କାଙ୍କଡ ଅପେକ୍ଷା ଦେଶୀ କାଙ୍କଡର ଦାମ ଅଧିକ । ହାଇବ୍ରିଡ଼ କାଙ୍କଡ କିଲୋ ପ୍ରତି ୬୦ ଟଙ୍କା ଥିବା ବେଳେ ଦେଶୀ କାଙ୍କଡର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ । ଦାମ ଅଧିକ ରହୁଥିଲେ ମଧ୍ୟ ଗ୍ରାହକଙ୍କ ପ୍ରଥମ ପସନ୍ଦ ଏହି ଦେଶୀ କାଙ୍କଡ ।

Advertisment

ଜଙ୍ଗଲ ସହିତ ଅନେକ ଲୋକଙ୍କ ବାଡ଼ି ବଗିଚାରେ ଏହି କାଙ୍କଡ଼ ଦେଖିବାକୁ ମିଳିଥାଏ । ପ୍ରତିଦିନ ସ୍ଥାନୀୟ ବଜାର ସହିତ ଭୁବନେଶ୍ୱର, କଟକକୁ ମଧ୍ୟ ଏହି କାଙ୍କ ରପ୍ତାନୀ ହେଉଛି । ଏପରିକି ପୋଡ଼ଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶକୁ ମଧ୍ୟ ଏହି କାଙ୍କଡ଼ ବିକ୍ରି ପାଇଁ ପଠାଯାଉଛି । ବର୍ଷା ଦିନରେ ବହୁଳ ଉତ୍ପାଦନ ହେଉଥିବାରୁ ଏହାକୁ ବିକ୍ରି କରି ବେଶ ରଜଗାରକ୍ଷମ ହେଉଛନ୍ତି ଆଦିବାସୀ ବ୍ୟବସାୟୀ ।

ବର୍ଷକୁ ମାତ୍ର ଦୁଇ ମାସ ମିଳିଥାଏ ଏହି କାଙ୍କଡ଼ । ଏଥିରୁ ପ୍ରଚୁର ପରିମାଣ ଭିଟାମିନ୍ ମିଳିଥାଏ ଓ ଖାଇବାକୁ ସ୍ବାଦିଷ୍ଟ ହୋଇଥିବାରୁ ଲୋକମାନେ ଏହାକୁ ଆଗ୍ରହର ସହ କିଣିନିଅନ୍ତି ।