ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀରେ ପୁଣି ବନ୍ୟା : ୬ ପଞ୍ଚାୟତର ୩୬ ଗାଁ ଜଳବନ୍ଦୀ, ଯାଜପୁର-ଭଣ୍ଡାରୀ ପୋଖରୀ ଯୋଗାଯୋଗ ବିଚ୍ଛିନ୍ନ

33

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପୁଣି ଆସିଛି ବନ୍ୟା। ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିବାବେଳେ ୬ ପଞ୍ଚାୟତର ୩୬ଟି ଗାଁର ଲୋକ ଜଳବନ୍ଦୀ ହୋଇ ଯାଇଥିବା ଜଣାପଡ଼ିଛି। ରେବ ଓ କପାଳି ନଦୀରେ ମଧ୍ୟ ବନ୍ୟା ଆସିଥିବା ଖବର ମିଳିଛି। ଏହା ଫଳରେ ତଳିଆ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆନନ୍ଦପୁରରେ ୧୭୧.୬ମି.ମି., ଆଖୁଆପଦାରେ ସର୍ବାଧିକ ୧୯୫.୬ମିମି., କେନ୍ଦୁଝରରେ ୫.୦ମି.ମି., ଠାକୁରମୁଣ୍ଡାରେ ୧୯.୦ମି.ମି, ସ୍ୱାମପାଟଣାରେ ୦.୬ମି.ମି., ଚମ୍ପୁଆରେ ୫.୬ମି.ମି. ଓ ଆନନ୍ଦପୁର ଅଞ୍ଚଳରେ ବ୍ୟାପକ ବର୍ଷା ହେବା ଫଳରେ କୁଶଭଦ୍ରା ନଦୀ ଉପରେ ଥିବା ରେମାଳ ଜଳଭଣ୍ଡାରର ଛଅଟି ଗେଟ ଖୋଲି ଦିଆଯାଇଥିଲା। ଏହା ଫଳରେ ବୈତରଣୀ ନଦୀର ଜଳପତ୍ତନ ହଠାତ୍ ବୃଦ୍ଧି ପାଇଛି। ଆଖୁଆପଦାଠାରେ ସନ୍ଧ୍ୟା ୬ଟା ସମୟରେ ନଦୀର ଜଳସ୍ତର ବିପଦସଙ୍କେତ ୧୭.୮୩ମିଟରକୁ ଅତିକ୍ରମ କରି ୧୮.୨୬ମିଟରରେ ପ୍ରବାହିତ ହେଉଛି।

 

ଜଳସ୍ତର ଘଣ୍ଟାପ୍ରତି ୮ସେମି ବେଗରେ ବୃଦ୍ଧି ପାଉଥିବା ନେଇ ଜଳସମ୍ପଦ ବିଭାଗ ଆଖୁଆପଦା ବନ୍ୟା ନିୟନ୍ତ୍ରଣ କକ୍ଷ ସୂଚନା ଦେଇଛି। ଏପରିକି ଜଳସ୍ତର ୧୯ମିଟରକୁ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି। ଏଥିଯୋଗୁଁ କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବେଶ କରି ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ ଆଦି ୬ଟି ପଞ୍ଚାୟତର ୩୬ଟି ଗ୍ରାମ ଜଳବନ୍ଦୀ ହୋଇଛି। ମଣିନାଥପୁର, ଷୋଳମପୁର, ବରାହନୂଆପଡ଼ା, ବିରୋଳି, ବିନ୍ଧାଣ, ମୁଢ଼ାପଦା, ମାଳଦା, ଚତୁର୍ଭୁଜପୁର, ଜଳହରୀ, ସାରଣା, ରହଣିଆ ଆଦି ଗ୍ରାମ ସମ୍ପୁର୍ଣ୍ଣ ଜଳ ଘେରରେ ରହିଛି। ସେହିପରି ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଓ ଝୁଟୁଣା ପଞ୍ଚାୟତର ନଦୀପ ଠାରେ ଅବସ୍ଥିତ ଗ୍ରାମ ଓ ଚାଷଜମି ଜଳମଗ୍ନ ହୋଇଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳବାସୀଙ୍କ ମନରେ ଭୟ ସଞ୍ଚାର କରିଛି। ବ୍ଲକର ପ୍ରମୁଖ ରାସ୍ତା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ବିଭାଗ ରାସ୍ତାର ସର୍ତ୍ତାନାଳ ସେତୁ ଉପରେ ୪ଫୁଟ ଉଚ୍ଚରେ ଜଳ ପ୍ରବାହିତ ହୋଇ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୈତରଣୀ ନଦୀ ସମେତ ଏହାର ଶାଖା ନଦୀ କୋଚିଳା ଓ ଗେଙ୍ଗୁଟୀ, ଜ ଓ ରେବ-କପାଳି ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।