କନକ ବ୍ୟୁରୋ : ମାଙ୍କିଡିଆ ଜନଜାତିର ପ୍ରଥମ ମାଟ୍ରିକୁଲେଟ୍ ବାୟା ମାଙ୍କଡିଆଙ୍କୁ ମିଳିଲା ନିଯୁକ୍ତି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକ ଭାବେ ଦିଆଯାଇଛି ନିଯୁକ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏଥିସହ ମାଙ୍କିଡିଆଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଶୁଭେଛା ଜଣାଇଛନ୍ତି ଜିଲ୍ଲାପାଳ ।

Advertisment

୨୦୧୦ରେ ବାୟା ମାଙ୍କିଡିଆ ପ୍ରଥମ ମାଙ୍କିଡିଆ ଭାବେ ମାଟ୍ରିକ ପାସ୍ କରିଥିଲେ । ଏଥିପାଇଁ ସେ ସାରାରାଜ୍ୟରେ ବେଶ୍ ପ୍ରଶଂସିତ ହୋଇଥିଲେ । ତାପରେ ସରକାରୀ ପ୍ରୋତ୍ସାହନ ପାଇ ଯୁକ୍ତ ୨ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିଲେ ଓ ଯୁକ୍ତ ୩ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ତେବେ କିଛି ଦିନ ତଳେ ସେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ଏହା ଜାଣିବା ପରେ ଜିଲ୍ଲାପାଳ, ତାଙ୍କୁ ସ୍ୱତନ୍ତ୍ର ଭାବରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଉଦଳା ଅନ୍ୱେଷା ଶକ୍ଷାନୁଷ୍ଠାନରେ ଟିଉଟର ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏଥିସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ଅଗ୍ରଗତି କରିବା ପାଇଁ ଓ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଙ୍କୁ ଏକ ଲ୍ୟାପଟପ୍ ପ୍ରଦାନ କରିଛନ୍ତି । ନିଯୁକ୍ତି ପାଇବା ପରେ କୃତଜ୍ଞତା ଜଣାଇଛନ୍ତି ବାୟା ।