ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର : ଆସନ୍ତାକାଲି ସୁଦ୍ଧା ଲଘୁଚାପ ଓ ୨୪ରେ ନେଇପାରେ ବାତ୍ୟାର ରୂପ

ସାଟେଲାଇଟ ଚିତ୍ରରୁ ଜଣାପଡ଼ିଲା ଏକାଠି ହେଉଛି ମେଘଖଣ୍ଡ; ଶକ୍ତି ଯୋଗାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

490

କନକ ବ୍ୟୁରୋ : ଉତ୍ତର ଆଣ୍ଡମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ ସକ୍ରିୟ ଥିବାରୁ ଏହା ମଧ୍ୟ ଲଘୁଚାପ ସୃଷ୍ଟିରେ ସହାୟକ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ।

ତେବେ ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ ବୋଲି ମଡେଲ ଗୁଡିକ ସଂକେତ ଦେଉଛି । ସେହିପରି ଏହା ଉତର-ପଶ୍ଚିମ ଦିଗରେ ଗତିକରି ୨୬ ତାରିଖ ସକାଳେ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବୋଲି ଆଶଙ୍କା କରାଯାଉଛି । ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ୨୬ ତାରିଖରେ ଉତର ଓଡିଶା ଓ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି ।

ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଇକ ମାଧ୍ୟମରେ ଲୋକଙ୍କୁ ସମୁଦ୍ରକୁ ମଧ୍ୟକୁ ନଯିବାକୁ ସଚେତନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ବି ଏ ବାବଦରେ ସତର୍କ କରାଯାଉଛି । ବିଭିନ୍ନ ବିଭାଗ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଆବଶ୍ୟକତା ଅନୁସାରେ ଓଡ୍ରାଫ, ଏନଡିଆରଏଫକୁ ମୁତୟନ କରିବାକୁ ବ୍ୟବସ୍ଥା କରାଯାଉଛି ।