ଓଡ଼ିଶାରେ ମାତିଛନ୍ତି ଦୁର୍ଦ୍ଦାନ୍ତ ‘ବାୱରିଆ ଗ୍ୟାଙ୍ଗ’ । ଆଖି ପିଛୁଳାକେ ଛିନତାଇ କରି ହୋଇଯାଆନ୍ତି ଅନ୍ତର୍ଦ୍ଧାନ । ପିଛା କରି କାବୁ କଲା କମିସନରେଟ୍ ପୁଲିସ ।

1,482

କନକ ବ୍ୟୁରୋ: ଓଡ଼ିଶାରେ ଧରାପଡିଛନ୍ତି ଦୁର୍ଦ୍ଦାନ୍ତ ବାୱରିଆ ଗ୍ୟାଙ୍ଗ୍ । ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱରରେ ଛିନତାଇ, ଲୁଟପାଟ କରି ଆତଙ୍କ ଖେଳାଇଥିଲେ । ବିଭିନ୍ନ ସହରରେ ଲୁଟପାଟ କରି ସ୍ପିଡ୍ ବାଇକରେ ଖସି ଯାଇ ପୁରୀରେ ରହୁଥିଲେ । ୨ ବର୍ଷ ହେଲା ଓଡିଶ ପାଇଁ ମୁଣ୍ଡବିନ୍ଧା ପାଲଟିଥିବା ଏହି କୁଖ୍ୟାତ ଗ୍ୟାଙ୍ଗ ଏବେ କମିଶନ୍ରେଟ୍ ପୋଲିସ ହାତରେ ଧରାପଡିଛି । ସେମାନଙ୍କ ପାଖରୁ ଲୁଟ୍ ହୋଇଥିବା ୧୬ଟି ସୁନା ଚେନ୍ ସମେତ ୨ଟି ବାଇକ୍, ୨ଟି ମୋବାଇଲ ଓ କାଗଜପତ୍ର ଜବତ ହୋଇଛି ।

  • ବନ୍ଧା ହେଲେ ‘ବାୱରିଆ ଗ୍ୟାଙ୍ଗ’
  • ରାଜ୍ୟ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ

ଓଡିଶା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବାୱରିଆ ଗ୍ୟାଙ୍ଗକୁ ବାନ୍ଧିଲା କମିସନରେଟ ପୋଲିସ । ଏ ଏକ ଏମିତି ଗ୍ୟାଙ୍ଗ, ଯାହା ନାଁ ଶୁଣିଲେ ସାଧାରଣ ଲୋକଙ୍କ ଛାତି ଥରି ଉଠେ ।

କ’ଣ ଏହି ବାୱରିଆ ଗ୍ୟାଙ୍ଗ?

  • ବାୱାରିଆ ଗ୍ୟାଙ୍ଗ ଉତ୍ତର ଭାରତରୁ ଆରମ୍ଭ ହୋଇଥିଲା
  • ଏକ ନିର୍ଦ୍ଦିଷ୍ଟ ଜନଜାତିର ଲୋକେ ଏହି ଗ୍ୟାଙ୍ଗ ଗଢିଥିଲେ
  • ପାରମ୍ପରିକ ଭାବେ ଏମାନେ ଶିକାରୀ ଓ ନିଷ୍ଠୁର
  • ଯାଯାବର ଭଳି ରହନ୍ତି, ଅପରାଧ କରିବା ପରେ ଠିକଣା ବଦଳାନ୍ତି
  • ଦୀପାବଳି ପରେ ପୂଜା କରି ଚୋରି ଆରମ୍ଭ କରିଥାନ୍ତି
  • ଏମାନଙ୍କୁ ଚଡି ବନିୟାନ ଗ୍ୟାଙ୍ଗ ବା ଲୋରି ଗ୍ୟାଙ୍ଗ ବୋଲି କୁହାଯାଏ
  • ଚୋରି କଲା ବେଳେ ଲୋକେ ଧରିନପାରିବେ ବୋଲି ଦେହ ସାରା ତେଲ ଲଗାନ୍ତି
  • ଭିକାରୀ ବେଶରେ ରେକି କରନ୍ତି ଓ ଲୁଟେରା ବେଶରେ ଲୁଟ କରନ୍ତି

କିନ୍ତୁ ସମୟ କ୍ରମେ ଏମାନେ ଡକାୟତି ସହ ଦେଶର ବିଭିନ୍ନ ସହରରେ ଛିନତାଇ କରିବା ଆରମ୍ଭ କରିଛନ୍ତି । ମହିଳାଙ୍କ ବେକରୁ ସୁନା ଛିଣ୍ଡାଇ ନେଉଥିବା ବେଳର ସିସିଟିଭି ଫୁଟେଜ ପୋଲିସକୁ ମିଳିଛି । ଆଉ ଲୁଟ କରିବା ପରେ ସ୍ପିଡ ବାଇକରେ ଅନ୍ୟ ସହରକୁ ଖସି ଯାଉଥିବାର ପ୍ରମାଣ ମଧ୍ୟ ମିଳିଛି ।

ବାୱରିଆ ଗ୍ୟାଙ୍ଗ ଓଡିଶା ପାଇଁ ନକ୍ସା ତିଆରି କରିଥିଲା ଆଉ ଏଥିରେ ସଫଳ ବି ହୋଇଥିଲା । ଏମାନଙ୍କ ଅପରେସନ ଆରମ୍ଭ ହେଉଥିଲା, ବାଲେଶ୍ୱରରୁ । ବାଲେଶ୍ୱରରୁ ଲୁଟ କରି ସାରିବା ପରେ ସେମାନେ ସ୍ପିଡ ବାଇକ ଯୋଗେ ସିଧାସଳଖ ଭଦ୍ରକରେ ପହଞ୍ଚୁଥିଲେ । ଧରାପଡିଯିବା ଭୟରେ ଭଦ୍ରକରୁ କଟକ ପରେ ଭୁବନେଶ୍ୱରରେ ଛିନତାଇ କରୁଥିଲେ । ଆଉ ପୁଲିସ ପଞ୍ଝାରୁ ନିଜକୁ ବଞ୍ଚାଇବା ପାଇଁ ପୁରୀରେ ଥିବା ଲଜରେ ଆତ୍ମଗୋପନ କରୁଥିଲେ । ଗ୍ୟାଙ୍ଗର ୨ ଅଭିଯୁକ୍ତ ଅପରାଧ କରୁଥିବା ବେଳେ ଅନ୍ୟ ୨ ଜଣ ସେମାନଙ୍କ ସହଯୋଗ କରୁଥିଲେ । ଏମାନଙ୍କ ନାଁରେ ଓଡିଶାରେ ୨୮ଟି କେସ ରହିଥିବା ପୁଲିସ ଜାଣିବାକୁ ପାଇଛି । ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

ଦୀର୍ଘ ୨୦ ବର୍ଷ ତଳୁ ଏହି ଗ୍ୟାଙ୍ଗ ଉତ୍ତର ଭାରତରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଅପରାଧ କରିଆସୁଛନ୍ତି । ଆଉ ଏବେ ଓଡିଶାରେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ନିଜର ଅପରେସନ ଜାରି ରଖିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।