କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସନାତନ ଧର୍ମକୁ ନେଇ ରାଜନୀତି ତୀବ୍ର ହୋଇଛି । ଡିଏମକେ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମକୁ ମ୍ୟାଲେରିଆ ଏବଂ କରୋନା ଭାଇରସ ସହିତ ତୁଳନା କରିଥିଲେ ଏବଂ ଏହାର ମୂଳୋତ୍ପାଟନ ବାବଦରେ କହିଥିଲେ । ଏହି ବୟାନ ପରେ ବିରୋଧୀ ବିଜେପିକୁ ପୁଣି ଥରେ ହିନ୍ଦୁତ୍ୱ ପିଚରେ ମ୍ୟାଚ ଖେଳିବାକୁ ସୁଯୋଗ ଦେଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଧ୍ୟପ୍ରଦେଶ ଏବଂ ଛତିଶଗଡ ନିର୍ବାଚନ ଗସ୍ତ ସମୟରେ ସନାତନ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଇଣ୍ଡିଆ ଉପରେ ଜୋରଦାର ବର୍ଷିଥିବା ବେଳେ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପି କେବଳ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁନାହିଁ । ବରଂ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ତଥା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସନାତନ ବନାମ ଧର୍ମନିରପେକ୍ଷତା ଏଜେଣ୍ଡା ସ୍ଥିର କରିବାକୁ ରଣନୀତି ପ୍ରସ୍ତୁତ କରୁଛି   ।

Advertisment

ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ରାଜନୈତିକ ସମୀକରଣର ସମାଧାନ ତଥା ବିଜେପିର ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏହି ବିବାଦରେ ଏଂଟ୍ରି ମାରିିଛନ୍ତି । ସେ ସନାତନ ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ‘ଇଣ୍ଡିଆ’କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ବିଶ୍ୱାସ ଓ ସଂସ୍କୃତି ଉପରେ ଆକ୍ରମଣ ତଥା ସନାତନଙ୍କୁ ହଟାଇବା ପାଇଁ ବିରୋଧୀ ଦଳ ଏକ ଷଡଯନ୍ତ୍ର ରଚିଛି । ବିରୋଧୀ ଦଳକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଅହଂକାରୀ ମିଳିତ ମେଂଟର ଉଦ୍ଦେଶ୍ୟ ହେଉଛି ହଜାର ହଜାର ବର୍ଷ ଧରି ଭାରତକୁ ଏକାଠି ରଖିଥିବା ଧାରଣା ଏବଂ ମୂଲ୍ୟବୋଧକୁ ନଷ୍ଟ କରିବା । ସନାତନ ମୂଲ୍ୟବୋଧ ଏବଂ ପରମ୍ପରାକୁ ଶେଷ କରିବାକୁ ସଂକଳ୍ପ ନେଇଛନ୍ତି । । ଭାରତର ମହାପୁରୁଷ ଏବଂ ସନାତନ ସଂସ୍କୃତି ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ସନାତନଙ୍କୁ ତାଙ୍କ ଜୀବନ ପାଇଁ ଜରୁରୀ ବୋଲି ବିବେଚନା କରିଥିଲେ ଏବଂ ପ୍ରଭୁ ରାମଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏହି କାରଣରୁ ତାଙ୍କର ଶେଷ ଶବ୍ଦ ଥିଲା 'ହେ ରାମ' । ସ୍ୱାମୀ ବିବେକାନନ୍ଦ, ଲୋକମାନିଆ ତିଲକ ଏବଂ ଦେବୀ ଅହିଲବାୟ ହୋଲକରଙ୍କୁ ପ୍ରେରଣା ଦେଇଥିବା ସନାତନ ସଂସ୍କୃତି ଏବଂ ପରମ୍ପରାକୁ ନଷ୍ଟ କରିବାକୁ ଅହଂକାରୀ ସହଯୋଗୀ ଦଳ ନିଷ୍ପତି ନେଇଛି ।

ସନାତନ ବନାମ ଧର୍ମନିରପେକ୍ଷ ରାଜନୀତିରେ ମୋଟ୍ ଜନସଂଖ୍ୟାରେ ହିନ୍ଦୁଙ୍କ ସଂଖ୍ୟା ପ୍ରାୟ ୧୧୦ କୋଟି । ୮୦ ପ୍ରତିଶତରୁ ଅଧିକ ସନାତନ ଅନୁଗାମୀ ରହିଛନ୍ତି । ବିରୋଧୀ ଦଳ ଧର୍ମନିରପେକ୍ଷ ରାଜନୀତି କରୁଥିବାବେଳେ ବିଜେପି ହିନ୍ଦୁତ୍ୱ ରାଜନୀତିକୁ ଆକ୍ରମଣାତ୍ମକ ଭାବେ କରୁଛି । ବିରୋଧୀ ସହଯୋଗୀ ଦଳରେ ଅଧିକାଂଶ ଦଳ ସଂଖ୍ୟା ଲଘୁ ଭୋଟରଙ୍କ ଉପରେ ଧ୍ୟାନ ଦିଅନ୍ତି । ଯେଉଁଥିପାଇଁ ସେମାନେ ହିନ୍ଦୁତ୍ୱ ରାଜନୀତି କରିବା ଏତେଟା ସହଜ ନୁହେଁ । ଉଦ୍ଧବ ଠାକରେଙ୍କ ଶିବସେନା ଏକମାତ୍ର ଦଳ ହିନ୍ଦୁତ୍ୱ ରାଜନୀତି କରେ କିନ୍ତୁ ବିରୋଧୀ ଶିବିରରେ ଯୋଗଦେବା ପରେ ଉଦ୍ଧବଙ୍କ ମନୋଭାବରେ ଟିକିଏ ପରିବର୍ତନ ହୋଇଛି ବୋଲି କୁହାଯାଉଛି ।