ପାନ ଚାଷୀଙ୍କ ଉପରେ ଥଣ୍ଡାର ଥାର୍ଡ ଡିଗ୍ରୀ । ପ୍ରବଳ ଶୀତରେ ଜଳିଯାଉଛି ପାନ ପତ୍ର, ପାନ ବରଜକୁ ଦେଖିଲେ କାନ୍ଦୁଛି ଚାଷୀର ମନ ।

190

କନକ ବ୍ୟୁରୋ : ଡରାଉଛି ଜାଡ । ଶୀତରେ ଦେହ ଥରୁଛି । ପାନ ବରଜକୁ ଦେଖିଲେ ଚାଷୀର ମନ କାନ୍ଦୁଛି । ଥଣ୍ଡା ପାଇଁ ନିଆଳି, କାକଟପୁର ଓ ଅସ୍ତରଙ୍ଗ ଅଂଚଳର ପାନଚାଷୀଙ୍କ ମୁଣ୍ଡରେ ଚଡକ । ଅତ୍ୟଧିକ ଥଣ୍ଡା ଓ ବର୍ଷା ପରେ ପୋକ ଲାଗି ପୋଡି ଯାଉଛି ପାନପତ୍ର ।

ପାନ ଚାଷୀଙ୍କ ଉପରେ ଥଣ୍ଡାର ଥାର୍ଡ ଡିଗ୍ରୀ । ପ୍ରବଳ ଶୀତରେ ଜଳିଯାଉଛି ପାନ ପତ୍ର । ଶୀତ ଉଜାଡି ଦେଲା ପାନବରଜ । ରାଜ୍ୟରେ କମୁଥିବା ତାପମାତ୍ରା ପାନଚାଷୀଙ୍କ ନିଦ ହଜେଇ ଦେଇଛି । ଶୀତ ଯୋଗୁ ପାନ ପତ୍ର ପୋଡି ଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଂଚଳରେ । ପାନ ଗଛ ଠିଆ ହୋଇଛି ହେଲେ ପାନ ପତ୍ର ପୋଡି ଯାଇଛି । ଆଉ ପୋଡା ପାନକୁ ତୋଳିବାରେ ଲାଗିଛି ଚାଷୀ । ପାଖାପାଖି ୪ ହଜାରୁ ଅଧିକ ପାନ ବରଜ ଶୀତ ଯୋଗୁଁ ପ୍ରଭାବିତ ହୋଇଛି । ପାନ ଚାଷୀଙ୍କ ବର୍ଷକର ଆହାର, ପିଲାଙ୍କ ପାଠପଢା, ଔଷଧ ଖର୍ଚ୍ଚ ସବୁ କିଛି ତୁଲାଇଥାଏ ଏହି ପାନ ବରଜ ।

ଉପକୂଳ ଓଡିଶାର ନିଆଳି, ଅସ୍ତରଂଗ, କାକଟପୁର, ପିପିଲି, ଜଗତସିଂହପୁର ଅଂଚଳରେ ପାନଚାଷ କାହିଁ କେଉଁ କାଳରୁ ହୋଇଆସୁଛି । ଖରା ଦିନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପାନପତ୍ର କେତେକାଂଶରେ ପୋଡି ଯାଇଥାଏ । କିନ୍ତୁ ଶୀତ ଦିନେ ପାନପତ୍ର ସଂପୂର୍ଣ୍ଣ ପୋଡିଯିବା ପ୍ରଥମ ଘଟଣା ବୋଲି ଚାଷୀ କୁହନ୍ତି । ଅସ୍ତରଂଗ ଓ କାକଟପୁରରେ ପାନବରଜରେ ଅଜଣା ପୋକ ଲାଗିବାରୁ ଚାଷ ପୁରା ଉଜୁଡି ଯିବାକୁ ବସିଛି । ବତ୍ୟା ଫୋନି ପରେ ମାଟିରେ ଶୋଇ ପଡିଥିବା ପାନ ବରଜକୁ ପୁଣି ଥରେ ଠିଆ କରିଛନ୍ତି ଚାଷୀ । ହେଲେ ଶୀତ ଦିନ ହୋଇଥିବା ଝିପିଝିପି ବର୍ଷା ପରେ ବରଜରେ ପୋକ ଲାଗୁଛି । ଫଳରେ ଗଛରେ କଳାଦାଗ ପଡିଯାଉଥିବା ବେଳେ ପାନ ପତ୍ର ପୋଡି ଯାଉଛି ।

ଏବେ ପାନ ହଜାରେକୁ ୧୨ଶହରୁ ୧୫ ଶହ ଟଙ୍କାରେ ବିକ୍ରୀ ହେଉଥିବା ବେଳେ କଡ଼ା ପ୍ରତି ୧୦୦ ଟଙ୍କା ଛୁଇଁଛି । ଭଙ୍ଗା ପାନ ଖଣ୍ଡକୁ ୩ ଟଙ୍କା ୫୦ ପଇସାରେ କିଣୁଛନ୍ତି ଗ୍ରାହକ । ପାନ ବିକ୍ରୀ କରି ବ୍ୟବସାୟୀ ଲାଭବାନ ହେଉଥିବା ବେଳେ କ୍ଷତି ସହୁଛନ୍ତି ପ୍ରକୃତ ଚାଷୀ । ଗୋଟିଏ ପାନ ବରଜ କରିବା ପାଇଁ ୬ରୁ ୭ମାସ ସମୟ ଲାଗିଥାଏ । ଏହାପାଇଁ ଆବଶ୍ୟକ ବାଉଁଶ, କତା, ପାଖୁଡି, ଛାଇ, ଜୁଣ, ବିଂଚେଣା, ଦଲମ, ପିଡିଆ ଓ ମଜୁରୀ । ପାନ ବରଜ ପାଇଁ ଚାଷୀକୁ ଖର୍ଚ୍ଚ କରିବାକୁ ପଡେ ଲକ୍ଷାଧିକ ଟଙ୍କା । ମାତ୍ର ଏବେ ପାନପତ୍ର ସବୁ ପୋଡି ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।