ନା ପଡିବ ପେଟ୍ରୋଲ ନା ଦରକାର ହେବ ଡିଜେଲ । ବିନା ତେଲରେ ମାଡିଯିବ ଗାଡି । ତେଲ ଦର ବୃଦ୍ଧି ଦେଖି ଏମିତି ଗାଡି ତିଆରି କଲେ ଚାଷୀ..

444

କନକ ବ୍ୟୁରୋ: ତେଲ ପାଇଁ ଟେନସନ ନାହିଁ । ବିନା ତେଲରେ ଚାଲୁଛି ଚାରି ଚକିଆ ଗାଡି । ଯେତେବେଳେ ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଆଉ ସାଧାରଣ ଲୋକଙ୍କ ପକେଟରେ ନିଆଁ ଲଗାଉଛି । ଠିକ ସେତିକି ବେଳେ ବିନା ତେଲରେ ଗାଡି ଚଳାଇବାର ସଉକ ପାଇଁ ବ୍ୟାଟେରୀ ଚାଳିତ ଗାଡି ନିର୍ମାଣ କରି ଚମକାଇ ଦେଇଛନ୍ତି ଜଣେ ସାଧାରଣ ଚାଷୀ ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଯୁବ ଚାଷୀ ସୁଶୀଲ ଅଗ୍ରୱାଲ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ନା ସେ ଇଞ୍ଜିନିୟରିଂ ପାଠ ପଢିଛନ୍ତି ନା ତାଙ୍କ ପାଖେ ରହିଛି କୌଣସି ଡିଗ୍ରୀ । ପକେଟକୁ ଯେତେବେଳେ ଦର ବାଧିଛି ଅଭାବ ଭିତରୁ ସେ ଉଦ୍ଭାବନ କରିଛନ୍ତି ଏ ବିନା ତେଲର ଗାଡି ।

ତେବେ କିଛି ଲୁହା ଏବଂ ବୈଦ୍ୟୁତିକ ସାମଗ୍ରୀକୁ ନେଇ ସେ ଏହି ବ୍ୟାଟେରୀ ଚାଳିତ ଗାଡି ନିର୍ମାଣ କରିଛନ୍ତି । ଲକଡାଉନ ସମୟରେ ହିଁ ସେ ଏହାର ପରିକଳ୍ପନା କରିଥିଲେ । ଏହି ଗାଡିରେ ୩ରୁ ୪ ଜଣ ବସି ପାରିବାର କ୍ଷମତା ଥିବାବେଳେ ୫୫ରୁ ୬୦ କିଲୋମିଟର ବେଗରେ ଏହା ଗଡିପାରିବ । ତେବେ ଥରେ ଚାର୍ଜ କରିଦେଲେ ଏବା ୩୦୦ କିଲୋମିଟର ଯାଏଁ ବିନା ଦ୍ୱିଧାରେ ଗଡିପାରିବ ଆଉ ଦରକାର ପଜିଲେ ସାଇକେଲ ପରି ବି ଏହାକୁ ବ୍ୟବହାର କରିହେବ । ତେବେ ସଂପ୍ରତି ପରିସ୍ଥିତିରେ ତେଲ ଦରକୁ ଆଖି ଆଗରେ ରଖି ଚାଷୀ ଜଣଙ୍କ ଆଗକୁ ଏହାର ବଜାରୀକରଣ କରିବାର ଲକ୍ଷ୍ୟ ରଖିଛନ୍ତି ।