କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆଙ୍କୁ କେନ୍ଦ୍ର ବୈଠକକୁ ନିମନ୍ତ୍ରଣ ନମିଳିବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ସ୍କିନ୍ଦିଆଙ୍କ ସମର୍ଥକ । ଏନେଇ ସେମାନେ ରାଜସ୍ଥାନରେ ବିଜେପିରୁ ଅଲଗା ହୋଇ ଏକ ରାଜନୈତିକ ମଞ୍ଚ ବନାଇଛନ୍ତି । ଯାହାର ନାମ ଦିଆଯାଇଛି ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ । ଏହା ବ୍ୟତିତ ‘ ଟିମ୍ ବସୁନ୍ଧରା’ ନାମରେ ସୋସିଆଲ ମିଡିଆରେ ଏକ ସଂଗଠନ ବନା ଯାଇଛି ।
ରାଜସ୍ଥାନରେ ବସୁନ୍ଧରା ସମର୍ଥକ ମାନେ ପ୍ରତି ଜିଲ୍ଲାରେ ଜିଲ୍ଲାଅଧ୍ୟକ୍ଷ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ବ୍ୟତିତ ଯୁବ ସଂଗଠନ ଓ ମହିଳା ସଂଗଠନ ପ୍ରସ୍ତୁତି କରିବା ନେଇ ସଂଗଠନ ଜୋରଦାର ପ୍ରୟାସ ଆରମ୍ଭ କରିଛି । କହିରଖୁ କି ବିଜେପିରେ ଏଭଳି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । ପାର୍ଟି ସଂଗଠନରୁ ଅଲଗା ହୋଇ କୌଣସି ନେତା ନିଜ ସମର୍ଥକଙ୍କୁ ଧରି ଅଲଗା ସଂଗଠନ ଆରମ୍ଭ କରିବା ।
ବସୁନ୍ଧରା ସମର୍ଥକ ମଞ୍ଚର ପ୍ରଦେଶ ଅଧ୍ୟକ୍ଷ ବିଜୟ ଭରଦ୍ୱାଜ କହିଛନ୍ତି କି ‘ମୁଁ ୨୦୦୩ ରୁ ବସୁନ୍ଧରା ରାଜେ ସ୍କିନ୍ଦିଆଙ୍କୁ ସମର୍ଥନ କରି ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିଲି । ସେବେଠାରୁ ମୁଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛି । ଏହାସହ ମୁଁ ବିଜେପିର ଆମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ ବି ଅଛି, ଏହା ବ୍ୟତିତ ଏବେ ମୁଁ ବିଜେପିର ଆଇନ କୋଷ ଅଧ୍ୟକ୍ଷ ପଦରେ ବି ରହିଛି । ହେଲେ ଏବେ ମୁଁ ବସୁନ୍ଧରାଙ୍କ ସଂଗଠନକୁ ମଜଭୁତ କରିବାକୁ ଚାହୁଁଛି’ । ସେ ଆହୁରି କହିଛନ୍ତି କି ବସୁନ୍ଧରା ରାଜସ୍ଥାନରେ ଜଣେ ଲୋକପ୍ରିୟ ନେତା । ସେ ମଜଭୁତ୍ ହେବା ଅର୍ଥ ବିଜେପି ବି ମଜଭୁତ୍ ହେଉଛି । ବସୁନ୍ଧରା ରାଜସ୍ଥାନକୁ ଏକ ପଛୁଆ ରାଜ୍ୟରୁ ଆଣି ବିକଶିତ ରାଜ୍ୟ ଭାବେ ପରିଗଣିତ କରିଛନ୍ତି । ତେଣୁ ଆମେ ଚାହୁଁଛୁ କି ବସୁନ୍ଧରାଙ୍କ ସମର୍ଥନରେ ପୁରା ରାଜସ୍ଥାନବାସୀଙ୍କ ସମର୍ଥନ ଗୋଟାଇବୁ ।
ଏନେଇ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି କି ବସୁନ୍ଧରା ରାଜେଙ୍କ ସଂଗଠନ ବାବଦରେ ବିଜେପିର ସବୁନେତା ଜାଣିଛନ୍ତି । ମାତ୍ର ବସୁନ୍ଧରାଙ୍କୁ ଯେଉଁମାନେ ସମର୍ଥନ କହୁଛନ୍ତି ସେମାନେ ବିଜେପିର ସକ୍ରିୟ ସଦସ୍ୟ ନୁହଁନ୍ତି । ବିଜେପି ଗୋଟିଏ ସଂଗଠନ ଆଧାରିତ ପାର୍ଟି । ମାତ୍ର ବସୁନ୍ଧରା ରାଜେ ତାହାକୁ ବ୍ୟକ୍ତି ଆଧାରିତ ପାର୍ଟି ଭାବେ ପରିଗଣିତ କରିବାକୁ ଚାହୁଁଛନ୍ତି ।