କନକ ବ୍ୟୁରୋ: ରାଜ୍ୟରେ ଖରା ବଢିବା ସହ ଜଳକଷ୍ଟ ବି ବଢୁଛି । କାରଣ ଗାଁ ଗାଁରେ ପିଇବା ପାଣିକୁ ନେଇ ସମସ୍ୟା ଲାଗିରହିଛି । ଲୋକେ ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଛନ୍ତି । ଲୋକେ ପାଣି ଗରାଏ ପାଇଁ ଆଉଟପାଉଟ୍ ହେଉଥିବା ବେଳେ କୋମାରେ ସରକାରଙ୍କ ବସୁଧା ଯୋଜନା । ଯୋଜନାକୁ କୋମାରେ କହିବାର କାରଣ, ଦୁଇ ବର୍ଷ ହେଲା ଗ୍ରାମବାସୀଙ୍କ କାମରେ ଆସୁନି ପ୍ରକଳ୍ପ । ଗାଁ ଗାଁରେ ପାଇପ୍ ବିଛାଇ ଷ୍ଟାଣ୍ଡ ପୋଷ୍ଟ କରାଯାଇଛି ।

Advertisment

୫୦ ହଜାର ଲିଟର ଜଳ ଧାରଣା କ୍ଷମତା ରଖୁଥିବା ପ୍ରକଳ୍ପରେ ତାଲା ପଡିଥିବାରୁ ଲୋକଙ୍କୁ ପାଣି ମିଳୁନାହିଁ । ଫଳରେ ପାଣି ପାଇଁ ମହିଳାମାନେ ଗରା ବାଲଟି ଧରି ଘର ଠାରୁ ଦୂରକୁ ଯାଉଛନ୍ତି । ବୌଦ୍ଧ ଜିଲ୍ଲା ବଡବାଗବର ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଗାଁରେ ୨ ଶହ ପରିବାର ବସବାସ କରନ୍ତି । ୨ଶହ ପରିବାର ପାଇଁ ଗାଁରେ ମାତ୍ର ୩ଟି ନଳକୂଅ ଅଛି । ସେଥିରୁ ପୁଣି ଗୋଟିଏ ଅଚଳ । ଦୁଇଟି ନଳକୂପରୁ ବର୍ଷ ତମାମ୍ ପିଇବା ପାଣି ସଂଗ୍ରହ କରନ୍ତି ଗ୍ରାମବାସୀ । ବର୍ଷା ଓ ଶୀତ ଦିନେ ଯାହା ଯେମିତି ଚଳିଯାଉଥିଲା । ହେଲେ ଏବେ ଗ୍ରୀଷ୍ମ ଆରମ୍ଭ ହୋଇଯିବାରୁ ଜଳକଷ୍ଟ ବଢିଯାଇଛି । ପାଣି ବାଲଟିଏ ପାଇଁ ଲୋକଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି ।