କନକ ବ୍ୟୁରୋ : ପିପିଲିରେ ପ୍ରହସନ ପାଲଟିଛି ବସୁଧା ଯୋଜନା । ସମୁଦାୟ ୬୦ଟି ପାଣି ଟାଙ୍କିରୁ ୩୦ ଟାଙ୍କି ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି । କେଉଁଠି ଖାଲି ଟାଙ୍କି ଅଛି ତ ଆଉ କେଉଁଠି ପାଣିର ସୁବିଧା ନାହିଁ । ଆଉ କିଛିସ୍ଥାନରେ ଭୂତଳ ପାଇପ ବିଛାଯାଇଛି । ହେଲେ ପାଣି ଆସିପାରୁନି । ଦୀର୍ଘ ଦିନ ହେଲା ପ୍ରକଳ୍ପ ଗେଟ ନଖୋଲିବାରୁ ଅନାବନା ଗଛରେ ଭର୍ତି ହୋଇଗଲାଣି । ପାଣି ଯୋଗାଇବାକୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଥିଲା । ହେଲେ ଟଙ୍କା ପଡିଛି ପାଣିରେ । ପାଣି ପାଇଁ ଲୋକେ ଏବେ ବି ଅସୁବିଧା ଭୋଗୁଛନ୍ତି । ଅଭିଯୋଗ ପରେ ବି କୌଣସି ସମାଧାନ ହୋଇପାରିନି ।

Advertisment

ସେପଟ ଅବଧି ସରିଗଲାଣି । କେବେ କାର୍ଯ୍ୟକ୍ଷମ ହେବ ଭେଂକଟପଲମ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ? ତାକୁ ନେଇ ଉଠିଛି ପ୍ରଶ୍ନ । କାଲିମେଳାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ୪ ବର୍ଷ ପୁର୍ବରୁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା । ଡ଼୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ପ୍ରତ୍ୟେକ ଘରକୁ ବିଶୋଧିତ ପାନୀୟ ଜଳ ଯୋଗାଇଦେବାକୁ ପୋଟେରୁ ନଦୀକୁଳରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ହେଲେ ଗତ ବର୍ଷ ଅକ୍ଟୋବର ମାସରୁ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ପ୍ରକଳ୍ପର କାମ ବର୍ତମାନ ସୁଧା ସଂପୂର୍ଣ୍ଣ ହୋଇପାରିନି । ପ୍ରାୟ ୫ଟି ପଂଚାୟତର ୫୮୬୫ ପରିବାର ଏବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି ।

ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି । ହେଲେ ଏହିଭଳି ବହୁ ସ୍ଥାନରେ ପ୍ରକଳ୍ପ ଫେଲ ମାରିଥିବା ବେଳେ ପାଣି ପାଇଁ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି ।