କନକ ବ୍ୟୁରୋ : ଜୁଲାଇ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯିବେ । ଏଥର ସେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଯାଉଛନ୍ତି । ସେ ମୁଖ୍ୟ ଅତିଥି ଭାବରେ ଏଲିସି ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ବ୍ୟାଷ୍ଟିଲ୍ ଡେ ପ୍ୟାରେଡରେ ଯୋଗଦେବେ । ଚଳିତ ବର୍ଷ ବ୍ୟାଷ୍ଟିଲ୍ ଡେ ପରେଡ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱର ପ୍ରତୀକ ହେବ ।

Advertisment

୧୦୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ ବ୍ୟାଷ୍ଟିଲ ଡେ ପରେଡରେ ପ୍ୟାରିସରେ ଫରାସୀ ସୈନିକମାନଙ୍କ ସହ ପରେଡ କରିବେ । ଏଥିପାଇଁ ଜୋରଦାର ଅଭ୍ୟାସ ଚାଲିଛି । ଫ୍ରାନ୍ସରେ, ବ୍ୟାଷ୍ଟିଲ୍ ଡେ ଜାତୀୟ ଦିବସ ଭାବରେ ମଧ୍ୟ ଜଣାଶୁଣା । ଜୁଲାଇ ୧୪ ରେ, ୧୭୮୯ରେ ଫରାସୀ ବିପ୍ଳବ ସମୟରେ ବ୍ୟାଷ୍ଟିଲ୍ ଦୁର୍ଗ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣର ସ୍ମୃତି ଭାବରେ ଏହି ଦିନ ପାଳନ କରାଯାଏ । ଏଥର ସାମରିକ ପରେଡରେ, ତିନି ଭାରତୀୟ ସୈନ୍ୟବାହିନୀର ୨୬୯ ସୈନ୍ୟ ଫ୍ରାନ୍ସ ସୈନ୍ୟବାହିନୀ ସହିତ ମାର୍ଚ୍ଚ କରୁଥିବା ଦେଖିବାକୁ ମିଳିବ ।

ପ୍ରଥମ ବିଶ୍ୱଯୁଦ୍ଧ ପରଠାରୁ ଭାରତ ଏବଂ ଫ୍ରାନ୍ସର ସୈନ୍ୟବାହିନୀ ମଧ୍ୟରେ ପାରସ୍ପରିକ ସମ୍ପର୍କ ଜାରି ରହିଛି । ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଭାରତୀୟ ସୈନିକ ଅଂଶଗ୍ରହଣ କରିଥିଲେ । ଏହି ସୈନିକମାନଙ୍କ ମଧ୍ୟରୁ ପ୍ରାୟ ୭୪,୦୦୦ କାଦୁଅ ଖାଲ ଭିତରେ ଯୁଦ୍ଧ କରିଥିଲେ । ପରେ ଆଉ ଫେରି ନଥିଲେ । ଅବଶିଷ୍ଟ ୬୭ ହଜାର ସୈନିକ ଆହତ ହୋଇଥିଲେ । ଭାରତୀୟ ସୈନିକମାନେ ଫ୍ରାନ୍ସ ମାଟିରେ ମଧ୍ୟ ଅତି ସାହସର ସହିତ ଲଢେଇ କରିଥିଲେ । ତାଙ୍କର ସାହସ, ବୀରତ୍ୱ ଏବଂ ସର୍ବୋଚ୍ଚ ବଳିଦାନ କେବଳ ଶତ୍ରୁକୁ ବାଧା ଦେଇନଥିଲା, ଯୁଦ୍ଧରେ ଜିତିବାରେ ମଧ୍ୟ ବିଶେଷ ଅବଦାନ ଦେଇଥିଲା ।