କନକ ବ୍ୟୁରୋ: ବାସୁମତୀ ଚାଷ କରି ସ୍ୱାବଲମ୍ବୀ ଶହେରୁ ଅଧିକ ଚାଷୀ ପରିବାର । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଡଗରପଡା ଗାଁର ବସୁମତୀ ଚାଷୀଙ୍କ କଥା । ଆଜିର ଦିନରେ ଚାଷପ୍ରତି ଲୋକେ ବିମୁଖ ହେଉଥିବା ବେଳେ ଏହି ଗାଁର ଚାଷୀ କିନ୍ତୁ ବାସୁମତୀ ଧାନ ଚାଷକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ବଡଚଣା ବ୍ଲକ ଡଗରପଡା ଗାଁର ତିନିଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ଏହି ଗାଁର ଶହେରୁ ଅଧିକ ଚାଷୀ ପରିବାର ଦୀର୍ଘ ୫୦ ବର୍ଷ ଧରି ପୁରୁଷାନୁକ୍ରମେ ସୀତାଭୋଗ ବାସୁମତୀ ଧାନ ଚାଷକରି ନିଜର ଗୁଜୁରାଣ ମେଂଟାଉଛନ୍ତି । ସମୟ ସହ ତାଳ ଦେଇ ବଦଳୁଥିବା କୃଷି ବିଜ୍ଞାନର ପଦ୍ଧତିକୁ ବ୍ୟବହାର କରି ଏହି ଗାଁର ଚାଷୀ ବେଶ୍ ସ୍ୱାବଲମ୍ବୀ ହୋଇପାରିଛନ୍ତି । ବାସୁମତୀ ଧାନ ଚାଷକୁ ଅଧିକ ସହଜ କରିବା ପାଇଁ ବିଭିନ୍ନ କୃଷି ଯନ୍ତ୍ରପାତିର ମଧ୍ୟ ବ୍ୟବହାର କରି ଏହାର ଫାଇଦା ଉଠାଉଛନ୍ତି ଏହି ଗାଁର ଚାଷୀ ।
ବାସୁମତୀ ଚାଷକରି ସାରା ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି ଏହି ଡଗରପଡା ଗାଁର ଚାଷୀ । ଏହି ଗାଁରୁ ଉତ୍ପାଦିତ ଧାନ ଚାଉଳ ହୋଇ ରାଉରକେଲା, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରପଡା ଜିଲ୍ଳାକୁ ଯୋଗାଣ ହେଉଥିବା ବେଳେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟା ଥିବାରୁ ଏହାକୁ ଚାଉଳ କରି ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି । ତେବେ ଧାନଚାଷ କ୍ଷେତ୍ରରେ ସରକାର ପ୍ରଚଳନ କରିଥିବା ଟୋକନ ବ୍ୟବସ୍ଥାରେ ଏହି ଗାଁର ଚାଷୀମାନଙ୍କୁ ସାମିଲ କରାଯାଉନଥିବାରୁ ଅନେକ ସମୟରେ ଧାନ ବିକ୍ରି କରିବାରେ ସମସ୍ୟା ଦେଖାଦେଉଛି । ରାଜ୍ୟ ସରକାର ତଥା ଜିଲ୍ଳା କୃଷି ବିଭାଗ ପକ୍ଷରୁ ଏହି ଚାଷୀମାନଙ୍କୁ ସହଯୋଗ ମିଳିଲେ ଚାଷୀମାନଙ୍କର ଅଧିକ ପ୍ରଗତି ହେବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ବାସୁମତୀ ଧାନଚାଷ କରି ସ୍ୱାବଲମ୍ବୀ ହୋଇପାରିଥିବା ଡଗରପଡା ଗାଁର କୃଷକମାନଙ୍କୁ ଅଧିକ ସରକାରୀ ସହାୟତାର ଆବଶ୍ୟକତା ରହିଛି ।