କନକ ବ୍ୟୁରୋ: ସ୍ୱାଧୀନତାର ୭ଦଶନ୍ଧି ପରେ ବି ଗାଁ ଲୋକଙ୍କୁ ମିଳୁନି ମୌଳିକ ସୁବିଧା । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ଯାତାୟତ ପାଇଁ ନା ଗାଁକୁ ରାସ୍ତା ଅଛି ନା ପିଇବା ପାଇଁ ପାନୀୟ ଜଳ ସୁବିଧା । କୋରାପୁଟ ସଦର ମହକୁମା ବଡ଼ସୁକୁ ପଂଚାୟତ ନୂଆପାଟ ତିଆଡ଼ି ସାହିରେ ୩୬ଟି ପରିବାର ରହୁଥିବା ବେଳେ ଏମାନେ ଏବେ ବି ଅବହେଳିତ ଜୀବନ ବିତାଉଛନ୍ତି । ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ବର୍ଷା ଦିନେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାଦିନେ ଯାହା ଯେମିତି ଚଳିଯାଉଥିବା ବେଳେ ବର୍ଷା ଦିନ କଥା ନକହିବା ଭଲ ।

Advertisment

ବର୍ଷା ଦିନେ କୌଣସି ଗାଡ଼ି ଗାଁକୁ ଆସିପାରୁନଥିବାରୁ ଗୁରୁତର ରୋଗୀଙ୍କୁ ମେଡ଼ିକାଲ ନେବା ପାଇଁ ଲୋକେ ଅନେକ ସମସ୍ୟାରେ ପଡ଼ିଥାଆନ୍ତି । ଦୁଇ ଶହ ଲୋକଙ୍କ ପାଇଁ ଦୁଇଟି ନଳକୂପ ରହିଛି । ଗୋଟିଏ ଗାଁ ନିକଟରେ ଥିବାବେଳେ ଅନ୍ୟଟି ନଦୀ ପାଖରେ ରହିଛି । ଏହି ନଳକୂପରୁ ଅଧାଦିନ ଗୋଳଆ ପାଣି ବାହାରୁଛି । ଖରା ଦିନେ ନଳକୂପରୁ ପାଣି ବାହାରେ ନାହିଁ ବାଧ୍ୟ ହୋଇ ଗ୍ରାମବାସୀ ନଦୀ ନିକଟରେ ଥିବା ନଳକୂପ ଉପରେ ନିର୍ଭର କରନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ।