ରାଇରଙ୍ଗପୁର ବହଳଦା ବ୍ଲକ୍ ଡିବାକଚା ଗାଁ । ସ୍ୱାଧିନତାର ୭ ଦଶନ୍ଧି ପରେ ବି ପହଞ୍ଚି ପାରିନି ମୌଳିକ ସୁବିଧା ।

159

କନକ ବ୍ୟୁରୋ: ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଆଦିମ ଜନଜାତି । ଆଦିମ ଜନଜାତି ଖଡିଆଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ପକ୍ରୃତ ହିତାଧିକାରୀ ଏହାର ସୁଫଳ ପାଇ ପାରୁନାହାଁନ୍ତି । ଏହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ବହଳଦା ବ୍ଲକ୍ ଡିବାକଚାରେ ।

ବଣପାହାଡ ଘେରା ଅସୁରଘାଟୀ ଗାଁର ପଡା ଗ୍ରାମ ଡିବାକଚା । ବହଳଦା ବ୍ଲକରୁ ୨୨ କିଲୋମିଟର, ଜଶିପୁର ପଂଚାୟତରୁ ମାତ୍ର ୭ କିଲୋମିଟର ଦୂର ଡିବାକଚା । ଏଠାରେ ୨୦ଟି ଆଦିମ ଜନଜାତି ଖଡିଆ ପରିବାର ବସବାସ କରନ୍ତି । ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ସେବା, ପ୍ରାଥମିକ ଶିକ୍ଷା ସବୁ କିଛି ଚାଲିଛି ନାହିଁ ନାହିଁରେ । ଘର ଠାରୁ ୨ କିଲୋମିଟର ପାହାଡ ଚଢିଲେ କୁନି କୁନି ପିଲାଙ୍କୁ ମିଳୁଛି ଅଙ୍ଗନବାଡି ଶିକ୍ଷା । ତାହା ପୁଣି ଚାଲେ ଗଛ ମୂଳେ ।

ଡିବାକଚା ଗାଁରେ ସରକାର ଯୋଜନାର ଛାଇ ବି ପଡିନି । କେବଳ ରାସନ ଗଣ୍ଡାକ ଛାଡି ଦେଲେ ଆଉ କିଛି ମିଳିନି । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲନ୍ସ ତ ଦୂର କଥା, ସାଇକେଲ ବି ପହଂଚି ପାରେନି । ଲୋକେ ଝାଟିମାଟିର ଘରରେ ରହୁଥିବା ବେଳେ, ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି । ଏ ସବୁ ଭିତରେ ପାନୀୟ ଜଳ ଅଭାବ ପୂରଣ କରୁଛି ଏହି ଗାଡିଆ ଓ ଝରଣା । ବିଜୁଳି ଆଲୁଅ ସାତସପନ ପାଲଟିଥିବା ବେଳେ ଶିକ୍ଷା ବ୍ୟବସ୍ଥା ବିଲକୁଲ୍ ନାହିଁ । ସରକାର ୬ରୁ ୧୪ ବର୍ଷ ବୟସ ଶିଶୁଙ୍କ ପ୍ରାଥମକ୍ଟଳର ଶିକ୍ଷା ବାଧ୍ୟତା ମୂଳକ କରିଥିବା ଆଜି ବି ଏଠାକାର ଶିଶୁ, ଶିକ୍ଷା ଅଧିକାର ଆଇନରୁ ବଂଚିତ ।

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଏହି ଆଦିମ ଜନଜାତିର ଲୋକେ ନଜର ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଗୁହାରି କରିଛନ୍ତି । ହେଲେ କେବଳ ପ୍ରତିଶ୍ରୁତି ବିନା ଆଉ କିଛି ମିଳି ନାହିଁ ଏମାନଙ୍କୁ ।