କନକ ବ୍ୟୁରୋ : ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ ପୋଲିସ । ମୃତ ଦୁଷ୍ମନ୍ତ ମା’ ଜଗତସିଂହପୁର କୁଜଙ୍ଗ ଥାନାରେ ଏକ ଏତଲା ଦେଇଥିବା ବେଳେ ଏହାକୁ କଟକ ସ୍ଥାନାନ୍ତର କରାଯାଇଛି । ଏପରିକି ଦୁଷ୍ମନ୍ତଙ୍କ ମା’ ବାସନ୍ତି କରିଥିବା ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । ଦୁଷ୍ମନ୍ତଙ୍କ ମା’ ଅଭିଯୋଗ କରିଥିଲେ ଘଟଣା ଦିନ କେହି ଜଣେ ଖଳ ପ୍ରକୃତିର ବ୍ୟକ୍ତି ଦୁଷ୍ମନ୍ତଙ୍କୁ ବିଭିନ୍ନ କଥା କହି ଭୁବନେଶ୍ୱର ନେଇଆସିଥିଲେ ।
ପୁଅ ଗଲାବେଳେ କହିଥିଲା ସେ ଭୁବନେଶ୍ୱର ଯାଉଛି, ସେଠୁ ଆସିଲେ ଗାଁକୁ ଯିବେ । ଏହାର କିଛି ସମୟ ପରେ ସେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଜାଣିବାକୁ ପାଇଥିଲେ ମା’ବାସନ୍ତି । ତାଙ୍କ ପୁଅକୁ କଟକରୁ ନେଇ ଯାଇଥିବା ବ୍ୟକ୍ତି ଏଭଳି ହାତକାଟି, ବିଷ ପିଆଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଏତଲାରେ ତାଙ୍କ ମା ଅଭିଯୋଗ କରିଛନ୍ତି । ତେଣୁ ଦୁଷ୍ମନ୍ତଙ୍କୁ ବିଧାନସଭା ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗରେ ପୁଲିସ ତଦନ୍ତକୁ ଆଗେଇ ନେବ । ଜଗତସିଂହପୁର ଜିଲ୍ଲା କୁଜଙ୍କ ପଙ୍କପାଳ ଅଂଚଳର ଦୁଷ୍ମନ୍ତ ଦାସ ଗତବର୍ଷ ମାର୍ଚ୍ଚରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।
ଘରକୁ ଫେରୁଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କାରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଜଗତସିଂହପୁର ମେଡିକାଲ ଓ ପରେ ଏସସିବିରେ ଭର୍ତି କରାଯାଇଥିଲା । ଏସସିବିରେ ଅସ୍ତ୍ରୋପଚାର ବି କରାଯାଇଥିଲା । ହେଲେ ଦୀର୍ଘଦିନ ପରେ ବି ଗୋଡ଼ରୁ ଯନ୍ତ୍ରଣା କମି ନଥିଲା । ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ କରି ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିବା ଓ ଟୁଇଟ କରିବା ପରେ ଶେଷରେ ବିଧାନସଭା ଆଗରେ ବିଷ ପିଇବା ସହ ହାତ କାଟିଦେଇଥିଲେ ଦୁଷ୍ମନ୍ତ ।